ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପୁଣି ଚଳଚଞ୍ଚଳ ହୋଇଛି ପ୍ରଚାର ମୈଦାନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନପୁରରେ ଜନସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି ଉପରେ ପ୍ରବଳ ଆକ୍ରମଣ କରିଥିବା ବେଳେ ଆଜି ରାଜ୍ୟରେ ପ୍ରଚାର ଜାରି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଆଜି ଉତ୍ତରପ୍ରଦେଶର ଦିବ୍ୟାପୁରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ସହ ରାଜ୍ୟବାସୀଙ୍କୁ ଏକାଧିକ ପ୍ରତିଶ୍ରୁତି ଦେଇଛନ୍ତି ।
ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ବିଜେପି ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିଲା ପରେ ରାଜ୍ୟରେ କୌଣସି ଚାଷୀଙ୍କୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ବିଜୁଳି ବିଲ ଦେବାକୁ ପଡିବ ନାହିଁ । ପରବର୍ତ୍ତୀ ପାଞ୍ଚ ବର୍ଷ ପାଇଁ ରାଜ୍ୟର କୃଷକମାନେ ମୁକ୍ତ ବିଜୁଳି ଶକ୍ତି ବ୍ଯବହାର କରିବେ । ମାର୍ଚ୍ଚ ୧୮ ରେ ଦେଶ ହୋଲି ପାଳିବାକୁ ଯାଉଥିବା ବେଳେ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବାକୁ ଯାଉଛି । ବିଜେପିକୁ ପୁଣିଥରେ କ୍ଷମତାକୁ ଆଣନ୍ତୁ,ହୋଲି ପୂର୍ବରୁ ଘରେ ମାଗଣା ଗ୍ୟାସ ସିଲିଲଣ୍ଡର ପହଞ୍ଚିବା ନେଇ ଶାହ ମଧ୍ୟ କହିଛନ୍ତି ।
ତେବେ ରାଜ୍ୟରେ ପୁଣିଥରେ ବିଜେପି କ୍ଷମତାକୁ ଫେରିବା ନେଇ ଦୃଢୋକ୍ତି ପ୍ରକାଶ କରି ଶାହ କହିଛନ୍ତି, ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ସୁଦ୍ଧା ଫଳାଫଳ ମଧ୍ୟ ସ୍ପଷ୍ଟ ହୋଇସାରିଛି । ସମାଜବାଦୀ ପାର୍ଟି ରାଜ୍ୟରୁ ସଫା ହୋଇସାରିଥିବା ବେଳେ ବିଜେପି କ୍ଷମତାକୁ ଫେରିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସୁଦ୍ଧା ରାଜ୍ୟରେ ବିଜେପି ପଶ୍ଚିମ ଭାଗରେ ପ୍ରାୟ 300 ରୁ ଅଧିକ ଆସନ ସହିତ ଦଳ କ୍ଷମତା ହାତେଇବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛି । ଆସନ୍ତା ତଥା ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟିଂ ବିଜେପିର ସଂଖ୍ୟା ଗରିଷ୍ଠତାକୁ ପୂରଣ କରିବାକୁ ଯାଉଛି ।