ନୂଆଦିଲ୍ଲୀ: G-20 ଶିଖର ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ଏନେଇ ଆସନ୍ତା 7 ତାରିଖ ମଧ୍ୟରାତ୍ରି ଅର୍ଥାତ୍ 8 ତାରିଖରୁ ଦିଲ୍ଲୀରେ ଯାନବାହନ ଯାତାୟତ ଦିଗରେ ରୋକ୍ ଲଗାଯିବା ସହ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ ଦିଆଯିବ। ନିଷେଦ୍ଧାଞ୍ଚଳକୁ ପ୍ରାଇଭେଟ୍ ଗାଡ଼ି ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଏହି ସମୟ ମଧ୍ୟରେ ଦିଲ୍ଲୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରିତ ଜୋନ୍ କରାଯାଇଛି । କେବଳ ଏଠାରେ କାମ କରୁଥିବା ଏବଂ ବସବାସ କରୁଥିବା ବ୍ଯକ୍ତି ନିଜର ଉପଯୁକ୍ତ ପରିଚୟ ପତ୍ର ଦେଖାଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ସେହିପରି ଶିଖର ସମ୍ମିଳନୀ ସମୟରେ ଏନଡିଏମସି ଇଲାକା ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିବେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ। ତେଣୁ ସେମାନଙ୍କୁ ଯେପରି କୌଣସି ଟ୍ରାଫିକ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର।
କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ଏନେଇ ବ୍ୟାପକ ପୋଲିସ ଫୋର୍ସ ସମେତ ସେନା ମଧ୍ୟ ମୁତୟନ କରାଯାଇଛି। ଏହାରି ଭିତରେ ଜନସାଧାରଣ ଯେପରି କୌଣସି ଟ୍ରାଫିକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ଜନସାଧାରଣଙ୍କ ଯାତାୟତକୁ ସହଜ ଓ ସୁଗମ କରିବାକୁ ସମସ୍ତ ସୁବିଧା ରହିବ । ଏନେଇ ଦିଲ୍ଲୀ ପୋଲିସ ତରଫରୁ ଏକ ହେଲ୍ପ ଡେସ୍କ୍ର ବ୍ୟବସ୍ଥା କରାଯାଇଛି । ଏହି ଭର୍ଚୁଆଲ ହେଲ୍ପ ଡେସ୍କ ମାଧ୍ୟମରେ ଯୋଗାଯୋଗ କଲେ ରାଜଧାନୀ ଦିଲ୍ଲୀର ବିଭିନ୍ନ ରୁଟ୍ ଏବଂ ସେଠାରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇପାରିବେ ଲୋକେ।