ନୂଆଦିଲ୍ଲୀ:ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାର ଅବ୍ୟବହିତ ପୂର୍ବରୁ ସଂସଦକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଆସୁଛି । ମୌସୁମୀ ଅଧିବେଶନ ସମୟରେ ସଂସଦରେ କୌଣସି ପାମ୍ପଲେଟ, ଲିଫ୍ଲେଟ ଏବଂ ପ୍ଲାକାର୍ଡ ବଣ୍ଟନ ହୋଇପାରିବ ନାହିଁ(No Distribution ofpamphlets,placards in Parliament) । ଏହା ଉପରେ ନିଷେଧାଦେଶ ଜାରି କରାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ଏହି ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଗୃହ ପରିସରରେ ପ୍ଲାକାର୍ଡ ପ୍ରଦର୍ଶନକୁ କଡାକଡି ନିଷେଧ କରାଯାଇଛି ।
ପ୍ରଚଳିତ ନିୟମ ଅନୁସାରେ, ସଂସଦ ଗୃହରେ ପ୍ରଶ୍ନାବଳୀ, ପାମ୍ପ୍ଲେଟ, ଲିଫଲେଟ, ପ୍ରେସ ନୋଟ୍ ଏବଂ ଛପା ହୋଇଥିବା କୌଣସି ସାମଗ୍ରୀ ବାଚସ୍ପତିଙ୍କୁ ଅନୁମତି ବିନା ବଣ୍ଟନ କରାଯାଇପାରିବ ନାହିଁ। ଗୋଟିଏ ପଟେ ସଂସଦ ଭିତରେ କୌଣସି ଆନ୍ଦୋଳନ, ଅନଶନ, ଧାରଣା ପ୍ରଦର୍ଶନ ଏବଂ ଧାର୍ମିକ ଉତ୍ସବ ପାଳନ ଉପରେ ରୋକ୍ ଲାଗିବାକୁ ନେଇ ବିରୋଧି ତୀବ୍ର ବିରୋଧ କରୁଥିବା ବେଳେ ଏହି ସମୟରେ ଲୋକସଭା ସଚିବାଳୟ ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛି । ଏହାପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ କିଛି ଶବ୍ଦର ବ୍ୟବହାର ଉପରେ ରୋକ ଲଗାଇବାକୁ ଲୋକସଭା ସଚିବାଳୟ ଦ୍ବାରା ଏକ ପୁସ୍ତକ ଜାରି କରାଯାଇଥିଲା । ଏହାକୁ ମଧ୍ୟ ବିରୋଧି ତୀବ୍ର ସମାଲୋଚନା କରିଛନ୍ତି ।