ଚଣ୍ଡିଗଡ଼: ପଞ୍ଜାବରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଟୀକାକରଣକୁ ବାଧ୍ୟତାମୂଳକ କରିଛନ୍ତି ପଞ୍ଜାବ ସରକାର । ଆଜି ଏନେଇ ଏକ ଅଭିନବ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସରକାରୀ କର୍ମଚାରୀମାନେ ଦରମା ନେବା ପୂର୍ବରୁ ଟୀକାକରଣ ପ୍ରମାଣପତ୍ର(COVID-19 vaccination certificate) ରାଜ୍ୟ ସରକାରଙ୍କ ଜବ ପୋର୍ଟାଲରେ ଅପଲୋଡ କରିବାକୁ ହେବ । ଯେଉଁ କର୍ମଚାରୀମାନେ ଟୀକାକରଣ ପ୍ରମାଣପତ୍ର ସଠିକ ସମୟରେ ଅପଲୋଡ କରିବାରେ ବିଫଳ ହେବେ, ସେମାନେ ଦରମା ପାଇବାରୁ ବଞ୍ଚିତ ହେବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ।
ସମଗ୍ର ଦେଶରେ କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଅନୁରୂପ ଭାବେ ତୃତୀୟ ଲହର ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । ଏପରି ସମୟରେ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ପଞ୍ଜାବ ସରକାର । ଟିକା ଗ୍ରହଣକୁ ବାଧ୍ୟତାମୂଳକ ଓ ପ୍ରକ୍ରିୟାକୁ ପ୍ରଭାବୀ କରିବାକୁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏପରି କଠୋର ନିଷ୍ପତ୍ତି ଆଣିଛନ୍ତି ରାଜ୍ୟ ସରକାର ।