ନୂଆଦିଲ୍ଲୀ:ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ସାଂସଦ ସୁଶୀଲ ମୋଦିଙ୍କ ଗମ୍ଭୀର ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ହସରେ ଉଡାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିଜେପି ନେତୃତ୍ବାଧୀନ NDA ମେଣ୍ଟ ଉପରାଷ୍ଟ୍ରପତି ପ୍ରାର୍ଥି ନ କରିବାରୁ ନୀତିଶଙ୍କୁ ମେଣ୍ଟରୁ ବାହାରି ଯାଇଥିବା ଅଭିଯୋଗ କରିଥିଲେ ସୁଶୀଲ ମୋଦି । ତେବେ ନୀତିଶ ଏପରି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ଏକ ଭିତ୍ତିହୀନ ଚର୍ଚ୍ଚା ବୋଲି କହିଛନ୍ତି ।
ନୀତିଶ କହିଛନ୍ତି, ''ସୁଶୀଲ ମୋଦି କହିଲେ ମୁଁ ଉପରାଷ୍ଟ୍ରପତି ହୋଇଥାନ୍ତି । ଏହା କେବଳ ଏକ ଜୋକ୍ । ମୋର ସେମିତି କିଛି ଅଭିଳାଷ ନଥିଲା । ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନରେ ଆମ ଦଳ NDA ପ୍ରାର୍ଥୀଙ୍କୁ ସମର୍ଥନ ମଧ୍ୟ କରିଥିଲା, ସେମାନେ ସେ କଥା ଭୁଲି ଗଲେଣି କି ? ଆମେ ନିର୍ବାଚନ ସରିବା ଯାଏ ଅପେକ୍ଷା କରିଥିଲୁ ଓ ପରେ ଦଳୀୟ ବୈଠକରେ ନିଷ୍ପତ୍ତି ନେଇଥିଲୁ । ମୋ ସମ୍ପର୍କରେ ଆହୁରି ଅଧିକ କହିବା ଫଳରେ ସେ ବୋଧ ହୁଏ କିଛି ପଦବୀ ପାଇପାରନ୍ତି ।"
ବିହାର ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁଶୀଲ ମୋଦି କହିଥିଲେ, ''ବିଜେପି ନେତୃତ୍ବାଧୀନ NDA ମେଣ୍ଟ ସମର୍ଥନରେ ଦେଶର ଉପରାଷ୍ଟ୍ରପତି ହେବାକୁ ଚାହୁଁଥିଲେ ନୀତିଶ । ଜନତା ଦଳ ୟୁନାଇଟେଡ (JDU)ର କିଛି ନେତା ମୋ ପାଖକୁ ଆସି ନୀତୀଶଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହା ସମ୍ଭବ ନ ହେବା କାରଣରୁ ସେ ବିଜେପି ହାତ ଛାଡ଼ିଛନ୍ତି ।'' ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିଲା । ଅଗଷ୍ଟ 6ରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଧନଖଡ ।
ଅନ୍ୟପଟେ ନିଜର ରାଜନୈତିକ ଷ୍ଟଣ୍ଟ ପାଇଁ ସାରା ଦେଶରେ କେନ୍ଦ୍ର ବିନ୍ଦୁରେ ରହିଛନ୍ତି ନୀତିଶ କୁମାର । ବିଜେପି ସହ ସମ୍ପର୍କ ଛିନ୍ନ କରି ଅଷ୍ଟମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିହାରରେ ବିଜେପି ସହ ବ୍ରେକ-ଅପ କରି ମହାମେଣ୍ଟ ସମର୍ଥନରେ ମାତ୍ର ୪୮ ଘଣ୍ଟା ମଧ୍ୟରେ ପୁନର୍ବାର କ୍ଷମତାସୀନ ହୋଇଛନ୍ତି ସଂଯୁକ୍ତ ଜନତା ଦଳ JD(U) ନେତା ।