ପାଟନା:ଜନ୍ମ ନିୟନ୍ତ୍ରଣ ପ୍ରସଙ୍ଗରେ ବିଧାନସଭାରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଡୁଆରେ ବଢିବାରେ ଲାଗିଛି । ଗତକାଲି ଠାରୁ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ନୀତିଶ ଆଜି ପୁଣି ବିଧାନସଭା ଗୃହରେ କ୍ଷମା ମଧ୍ୟ ମାଗିଛନ୍ତି । ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ବ୍ୟବହାର କରିଥିବା ଶବ୍ଦ ପ୍ରତ୍ୟାହାର ମଧ୍ୟ କରିଛନ୍ତି । ହେଲେ ତଥାପି ଏହି ମାମଲା ଥଣ୍ଡା ପଡିନି । ଆଜି ଜଣେ ଆବେଦନକାରୀ ମୁଜାଫରପୁର ସିଜେଏମ କୋର୍ଟରେ ନୀତିଶଙ୍କ ନାମରେ ମାମଲା ଦାଏର କରିଛନ୍ତି । ଏହି ମାମଲା ପଞ୍ଜିକୃତ ହୋଇଥିବା ବେଳେ ଚଳିତ 25 ତାରିଖରେ କୋର୍ଟ ଏହାର ଶୁଣାଣି ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି ।
ଗତକାଲି (ମଙ୍ଗଳବାର) ବିଧାନସଭାରେ ନୀତିଶଙ୍କ ଏହି ମନ୍ତବ୍ୟ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଗତକାଲି ବିରୋଧୀ ବିଜେପି ସମେତ ଅନ୍ୟ କିଛି ବିରୋଧୀ ଦଳଙ୍କ ସମେତ ଜାତୀୟ ମହିଳା କମିଶନ ମଧ୍ୟ ଏହାକୁ ଦେଶର ମହିଳାଙ୍କ ପ୍ରତି ଚରମ ଅସମ୍ମାନ ବୋଲି କହିଥିଲେ । ଏହା ସହ ନୀତିଶ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଆୟୋଗର ଅଧ୍ୟକ୍ଷା କହିଥିଲେ । ତେବେ ଆଜି ଏହି ମାମଲାରେ ନୀତିଶ ସଫେଇ ରଖିବା ସହ ସେହି ବିଧାନସଭାରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ବ୍ୟବହାର କରିଥିବା ଶବ୍ଦ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କରିଛନ୍ତି । ତଥାପି ସେ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରନ୍ତି ।