ପାଟନା: ୨୦୨୪ ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କେନ୍ଦ୍ରରୁ ହଟାଇବାକୁ ନୀତିଶ କୁମାର ପଣ କରିଛନ୍ତି । ବିହାରରେ ଏନଡିଏ ସହ ମେଣ୍ଟ ଭାଙ୍ଗିବା ପରେ ସେ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ବିରୋଧି ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନ ନୀତିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବାର ଚର୍ଚ୍ଚା ହେଉଥିବା ବେଳେ ଏହାରି ଭିତରେ ଆଉ ଏକ ବଡ ଚର୍ଚ୍ଚା ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଉତ୍ତରପ୍ରଦେଶ ଫୁଲପୁର(Phulpur) ଲୋକସଭା ଆସନରୁ ୨୦୨୪ ନିର୍ବାଚନ ଲଢିପାରନ୍ତି(Nitish Kumar to contest 2024 polls from Phulpur) । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ଏହି ଅଫର ଦେଇଥିବା ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଅଖିଳେଶ ଯାଦବ(Akhilesh Yadav) ଉତ୍ତରପ୍ରଦେଶର ଯେକୌଣସି ଆସନରୁ ଲୋକସଭା ନିର୍ବାଚନ ଲଢିବାକୁ ନୀତିଶ କୁମାରଙ୍କୁ ଅଫର ଦେଇଛନ୍ତି । ସେ ନିଜ ଇଚ୍ଛାରେ ଯେକୌଣସି ଆସନରୁ ପ୍ରତିଦ୍ବନ୍ଦିତା କଲେ ସମାଜବାଦୀ ପାର୍ଟି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସପା ନେତା । ତେବେ ଏହାମଧ୍ୟ ଶୁଣିବାକୁ ମିଳୁଛି ଯେ, ଫୁଲପୁରର ଜେଡିୟୁ କାର୍ଯ୍ୟକର୍ତ୍ତା ନୀତିଶ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି ।