ନୂଆଦିଲ୍ଲୀ:ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର କମାଣ୍ଡ କଂଗ୍ରେସ କାନ୍ଧକୁ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେଣ୍ଟ ସଂଯୋଜକ ହେବାକୁ ମନା କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମେଣ୍ଟର ଅଧ୍ୟକ୍ଷ ଭାବେ ମନୋନିତ ହୋଇଛନ୍ତି । ଖଡଗେଙ୍କୁ ଅଧ୍ୟକ୍ଷ ଚୟନ କରାଯାଇଥିବା ନେଇ ମେଣ୍ଟ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏବେବି ଆନୁଷ୍ଠାନିକ ଘୋଷଣା ବାକି ରହିଛି । କଂଗ୍ରେସ କିମ୍ବା ଅନ୍ୟ କୌଣସି ମେଣ୍ଟ ସହଯୋଗୀ ଦଳ ଏ ସମ୍ପର୍କରେ ସୂଚନା ଦେଇନାହାନ୍ତି । ସଂଧ୍ୟା ସୁଦ୍ଧା ମେଣ୍ଟ ଏକ ପ୍ରେସରିଲିଜ ଜାରି କରିପାରେ ।
ଆଜି (ଶନିବାର) ମେଣ୍ଟର ଭର୍ଚ୍ଚୁଆଲ ବୈଠକରେ ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ତଥା ମେଣ୍ଟ ଗଠନର ପ୍ରଥମ ପୁରୋଧା ନୀତିଶ କୁମାରଙ୍କୁ ସଂଯୋଜକ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହାକୁ ନିଜେ ନୀତିଶ କୁମାର ପ୍ରତ୍ୟାଖାନ କରିଥିଲେ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସଂଯୋଜକ ଦାୟିତ୍ବ ଦେବା ପାଇଁ ବୈଠକରେ ସୁପାରିଶ ହୋଇଛି । ଯାହାକୁ ଖଡଗେ ମଧ୍ୟ ସ୍ବୀକାର କରିଥିବା ସୂଚନା ମିଳିଛି ।
ନୀତିଶ ବିରୋଧୀ ମେଣ୍ଟର ସଂଯୋଜକ ହୋଇପାରନ୍ତି ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା । ଆଜିର ବୈଠକରେ ଏନେଇ ନିଷ୍ପତ୍ତି ହେବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା । ଶେଷରେ ମେଣ୍ଟର ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ନୀତିଶଙ୍କୁ ସଂଯୋଜକ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା । ହେଲେ ସେ କୌଣସି ପଦ ପାଇଁ ଆଶା ରଖିନଥିବା ତାଙ୍କର ପାର୍ଟି ପକ୍ଷରୁ କୁହାଯାଇଥିଲା । ତେବେ ନୀତିଶ ସଂଯୋଜକ ହେବାକୁ ମନା କରିଦେବାରୁ କଂଗ୍ରେସ ମୁଖ୍ୟ ଖଡ୍ଗେଙ୍କ ନାମରେ ମୋହର ଲାଗିଛି ।