ଓଡିଶା

odisha

ETV Bharat / bharat

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ; ଦିଲ୍ଲୀରେ ନୀତିଶ, କହିଲେ ସବୁକିଛି ଠିକ ଅଛି - ଜେଡିୟୁ କାର୍ଯ୍ୟକାରିଣୀ ବୈଠକ

JDU organizational change: ବିହାର ରାଜ୍ୟ ରାଜନୀତି ହଲଚଲ ମଧ୍ୟରେ ଦିଲ୍ଲୀ ପାର୍ଟି ଅଫିସର ପହଞ୍ଚିଲେ ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆସନ୍ତାକାଲି ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ । ଅଧିକ ପଢନ୍ତୁ

Nitish Kumar
Nitish Kumar

By ETV Bharat Odisha Team

Published : Dec 28, 2023, 6:54 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ଡିସେମ୍ବର ୨୯) ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି । ନୀତିଶ ଏହି ବୈଠକ ସେତେବେଳେ ଡାକିଛନ୍ତି ଯେତେବେଳେ ରାଜ୍ୟ ରାଜନୀତି ହଲଚଲ ଲାଗି ରହିଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂ ଓ ନୀତିଶଙ୍କ ମଧ୍ୟରେ ସବୁକିଛି ଠିକ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏପରିକି ଏହି କାରଣରୁ ଲଲନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି । ଏହାରି ମଧ୍ୟରେ କାର୍ଯ୍ୟକାରିଣୀ ବୈଠକ ଲାଗି ଦିଲ୍ଲୀ ସ୍ଥିତ ପାର୍ଟି ଅଫିସରେ ପହଞ୍ଚିଛନ୍ତି ନୀତିଶ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଦି ଲଲନ ସିଂହ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତି, ତେବେ ନୀତିଶ ନିଜେ ଦଳର ମୁଖିଆ ଭାବେ ଏହି ଦାୟିତ୍ବ ସମ୍ଭାଳିବେ । ଲଲନ-ନୀତିଶ ସମ୍ପର୍କ ଫାଟ ମଧ୍ୟରେ ଆଉ ଏକ ଚର୍ଚ୍ଚା ହେଉଛି ଜେଡିୟୁ ପୁଣି ବିଜେପି ସହିତ ମେଣ୍ଟ ସରକାର ଗଢିବ । ଏଭଳି ତମାମ ଚର୍ଚ୍ଚା ମଧ୍ୟରେ ଏପରି କିଛି ନାହିଁ, ସବୁକିଛି ଠିକଠାକ ଅଛି ବୋଲି ଦଳ ଓ ନୀତିଶ କହିଛନ୍ତି । ଏନେଇ ପ୍ରତିକ୍ରିୟା ରଖି ନୀତିଶ କହିଛନ୍ତି, " ସବୁ କିଛି ନର୍ମାଲ ଅଛି । ପ୍ରତିବର୍ଷ ଆମ ପାର୍ଟିର ବୈଠକ ହେବାର ପରମ୍ପରା ରହିଛି । ଏହି କାରଣ ଯୋଗୁଁ ଆମର ବୈଠକ ଅନୁଷ୍ଠିତ ହେଉଛି । ସେପରି କୌଣସି ଖାସ କାରଣ ନାହିଁ ।"

ଏହା ବି ପଢନ୍ତୁ- ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ

ସେପଟେ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଇସ୍ତଫା ଦେଉନାହିଁ । ଏହା ଦଳର ଏକ ନିୟମିତ ବୈଠକ । ଜେଡିୟୁ ମଧ୍ୟରେ ଏକତା ରହିଛି । ଏହି ଗୁଜବ କେବଳ ବିଜେପି ପ୍ରଚାର କରୁଛି । ନୀତିଶ କୁମାର ହେଉଛନ୍ତି ଆମର ନେତା । ବିଜେପି ଯେତେ ଉଦ୍ୟମ କଲେ ବି ଦଳର ଏକତାକୁ ଭଙ୍ଗ କରିପାରିବ ନାହିଁ ।" ସେହିପରି ଜେଡିୟୁ ଦିଲ୍ଲୀ ମୁଖ୍ୟ ଶୈଳଶ କୁମାର କହିଛନ୍ତି, "କେହି ଇସ୍ତଫା ଦେଉନାହାନ୍ତି । କେହି ଦଳ ଛାଡ଼ି ଯାଉନାହାନ୍ତି । ଲଲନ ସିଂହ ଦଳ ସହିତ ୩୫ବର୍ଷ ଧରି ଅଛନ୍ତି । ସେ ଆମର ନେତା । ପୋଷ୍ଟର ତାଙ୍କ ଫଟୋ ସେଭଳି ଉଦ୍ଦେଶ୍ୟମୂଳକ ଭାବେ ହଟାଯାଇନାହିଁ ।"

ସୂଚନା ଥାଉ କି ଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ଜେଡିୟୁ କାର୍ଯ୍ୟକାରିଣୀ ବୈଠକ ଲାଗି ଦଳ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା । ହେଲେ ଏଥିରେ ରାଷ୍ଟ୍ରୟ ଅଧ୍ୟକ୍ଷ ଲଲନ ସିଂଙ୍କ ଫଟୋ ଗାଏବ ରହିଥିଲା । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେବାକୁ ଥିବା ଚର୍ଚ୍ଚା ମଧ୍ୟରେ ପୋଷ୍ଟରରୁ ଫଟୋ ଗାଏବକୁ ନେଇ ବିଜେପି ଦଳକୁ ଟାର୍ଗେଟ କରିଥିଲା । ହେଲେ ଦଳରେ ସବୁ କିଛି ଠିକ ଅଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନୀତିଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details