ପାଟନା:ବିହାରରେ ଜାତିଭିତ୍ତିକ ଜନଗଣନା ହେବା ନେଇ ପଥ ପରିଷ୍କାର ହୋଇଛି । ଆଜି ସର୍ବଦଳୀୟ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ଧରି ଏନେଇ ପ୍ରକ୍ରିୟା ଜାରି ରଖିଥିଲେ ନୀତିଶ ସରକାର । ବିରୋଧୀ ଏହି ଦାବି ଉଠାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ନୀତିଶ ମଧ୍ୟ ଏହି ନିଷ୍ପତ୍ତି ସପକ୍ଷରେ ଥିବା ନଜର ଆସିଥିଲା । ତେବେ ଆଜି ସର୍ବଦଳୀୟ ବୈଠକରେ ପ୍ରସଙ୍ଗ ନେଇ ଆଲୋଚନା ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେବା ନେଇ ସ୍ପଷ୍ଟ ଘୋଷଣା କରିଛନ୍ତି ।
ଆଜି ସର୍ବଦଳୀୟ ବୈଠକ ପରେ ନୀତିଶ କହିଛନ୍ତି, ବିଜେପି ସମେତ ସମସ୍ତ ରାଜନୈତିକ ଦଳ ରାଜ୍ୟରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ସହମତି ପ୍ରକାଶ କରିଛନ୍ତି । ରାଜ୍ୟରେ ସାଧାରଣ ଜନଗଣନା ପରିବର୍ତ୍ତେ ଜାତିଭିତ୍ତିକ ଜନଗଣନା ପ୍ରକ୍ରିୟା ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରକ୍ରିୟା ସ୍ବରୁପ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ପାରିତ ହେବା ନେଇ ନୀତିଶ କୁମାର କହିଛନ୍ତି ।