ପାଟନା: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ ହୋଇଛି । ଉତ୍ତର ପ୍ରଦେଶରେ କ୍ରମାଗତ ଦ୍ବିତୀୟ ଥର ନିଜ ଦମ୍ରେ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟିର ନଜର ଏବେ ବିହାର ଉପରେ । ବିହାରରେ ଆରଜେଡି(RJD) ସହ କେବଳ ଦେଢ ବର୍ଷକୁ ଛାଡି ଦେଲେ ପାଖାପାଖି ୧୭ ବର୍ଷ ହେବ ବିଜେପି ଜେଡିୟୁ(JDU) ସହ ମେଣ୍ଟ ସରକାର ଚଳାଉଛି । ଯଦିଓ ଏଠାରେ ବିଜେପିର ଆସନ ସଂଖ୍ୟା ଅଧିକ, ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ରହିଛନ୍ତି ।
ଯାହାକୁ ନେଇ ସାମ୍ପ୍ରତିକ ସ୍ଥିତିରେ ଚର୍ଚ୍ଚା ଜୋର ଧରିଛି ଯେ, ନୀତିଶ କୁମାରଙ୍କୁ କେନ୍ଦ୍ରକୁ ପଠାଯିବ ଏବଂ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସିବ । ଏହାମଧ୍ୟ ଖବର ମିଳିଛି କି ନୀତିଶଙ୍କ ସୁରକ୍ଷିତ ପ୍ରସ୍ଥାନ(Safe Exit) ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟସ ୭୧ ଅତିକ୍ରମ କରିସାରିଲାଣି । ଷଷ୍ଠ ଥର ପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଗତ ୨୭ ବର୍ଷ ହେଲା ଭାଜପା ସହ ତାଙ୍କର ମେଣ୍ଟ ରହିଛି ।
ହେଲେ ବିଧାନସଭା ନିର୍ବାଚନ ଫଳାଫଳ ବାଦ୍ ନୀତିଶ କୁମାର ମେଣ୍ଟ ଓ ସରକାରକୁ ନେଇ ଅସହଜ ହୋଇପଡିଛନ୍ତି । ୪୩ ଆସନ ଜିତିବା ପରେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ସିନା କରିଛି ହେଲେ ଦଳୀୟ ନେତାଙ୍କ ଆକ୍ରମଣାତ୍ମକ ବୟାନବାଜି ଜାରି ରହିଛି । ଉତ୍ତର ପ୍ରଦେଶରେ ଐତିହାସିକ ବିଜୟ ପରେ ବିଜେପି ନେତା ଆଉ ବୁଝିବା ମୁଡ୍ରେ ରହିନାହାନ୍ତି ।
ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ:
ଚକ୍ରବ୍ୟୁହରେ ଫସିଥିବା ନୀତିନ ବିହାର ରାଜନୀତିକୁ ବାଏ ବାଏ କହିବାକୁ ଚାହୁଁଛନ୍ତି ଏବଂ ଏହାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ହେଉଛି । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ କେତେକ ବିଭାଗକୁ ମଧ୍ୟ ୟେଲୋ ପେପର(yellow paper) ଲେଖିଛନ୍ତି । ପ୍ରଶାସନିକ ବିଭାଗରେ ୟେଲୋ ପେପରକୁ ଅର୍ଦ୍ଧ ସରକାରୀ ପତ୍ର ମଧ୍ୟ କୁହାଯାଏ । ଏହି ପତ୍ର ଜରିଆରେ ସ୍ବଚ୍ଛତା ପ୍ରମାଣପତ୍ର ବିଭାଗ ଠାରୁ ନିଆଯାଇଥାଏ । ଜନସେବକ ଯଦି ଚାକିରି ମଝିରେ ଅବକାଶରେ ଯାଆନ୍ତି ଅଥବା ପଦ ଛାଡିଥାନ୍ତି ଏପରିସ୍ଥଳେ ୟେଲୋ ପେପର ଲେଖିବାର ପରମ୍ପରା ରହିଛି । ଯଦି କୌଣସି ଜନସେବକ ବଡ ପଦକୁ ଯାଆନ୍ତି ତେବେ ସେ ସମ୍ପୃକ୍ତ ବିଭାଗରୁ ସ୍ବଚ୍ଛତା ପ୍ରମାଣପତ୍ର ହାସଲ କରିଥାନ୍ତି ।
BJP ନେତାଙ୍କ ପ୍ରକୋପରେ ଅତିଷ୍ଠ ନୀତିଶ ! :
ବିଜେପିର ପ୍ରଦେଶ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ନୀତିଶ ସରକାରରେ ବିଜେପି ମନ୍ତ୍ରୀ ଯାଏଁ, ସରକାରଙ୍କ ବିଭିନ୍ନ ନୀତି ଉପରେ ଲଗାତାର ପ୍ରଶ୍ନ ଉଠାଉଛନ୍ତି । ରାଜ୍ୟରେ ମଦନିଷେଦ୍ଧ, ଭଷ୍ଟ୍ରାଚାର ଓ ବେଲଗାମ୍ ଅପରାଧକୁ ମୁଦ୍ଦା କରି ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ କରୁଛନ୍ତି । କିଛି ଦିନ ତଳେ ନୀତିଶ ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦିଲ୍ଲୀରେ ଭେଟଘାଟ ହୋଇଥିଲା । ଯାହାପରେ ନୀତିଶ ରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ଦାବିଦାର ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏହି ଚର୍ଚ୍ଚା ଫୁସୁରି ଯାଇଛି । ଯେଉଁ କାରଣରୁ ନୀତିଶଙ୍କୁ ପୁନର୍ବାର ବୁଝାମଣା ସ୍ଥିତିକୁ ଫେରିବାକୁ ପଡିଛି । ଜୁଲାଇରେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ନୀତିଶ କୁମାରଙ୍କ ନାମ ଖୁବ୍ ଚର୍ଚ୍ଚାରେ ଅଛି ।