ପାଟନା: ‘ଇଣ୍ଡିଆ’ ମେଣ୍ଟରେ ଆସନ ବୁଝାମଣା ନେଇ କୌଣସି ସମସ୍ୟା ନାହିଁ । ସମସ୍ତ ଆଲୋଚନା ସଠିକ ପ୍ରକ୍ରିୟାରେ ଜାରି ରହିଛି । ମୁମ୍ବାଇରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଭିନ୍ନ କାର୍ଯ୍ୟପନ୍ଥା ପାଇଁ ସମନ୍ବୟ କମିଟି ଗଠନ କରାଯାଇଛି । ଏହି ମାସ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅକ୍ଟୋବର 2 ତାରିଖ (ଗାନ୍ଧୀ ଜୟନ୍ତୀ)ରୁ ମେଣ୍ଟ ସାରା ଦେଶରେ ଏକ ବିଶାଳ କାର୍ଯ୍ୟକ୍ରମ କରିବାକୁ ଯାଉଥିବା କହିଛନ୍ତି ବିହାର ମୁଖ୍ଯମନ୍ତ୍ରୀ ତଥା ମେଣ୍ଟରେ ସକ୍ରିୟ ଭୂମିକାରେ ଥିବା ନୀତିଶ କୁମାର ।
ଗତକାଲି ମୁମ୍ବାଇରେ ବିରୋଧୀ ସମ୍ମିଳନୀରେ ଅଂଶଗ୍ରହଣ କରି ଫେରିଥିବା ନୀତିଶ ଗଣମାଧ୍ୟମରେ ମେଣ୍ଟ ସମ୍ପର୍କିତ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ମେଣ୍ଟରରେ ସବୁ କିଛି ଠିକ ଭାବେ ଜାରି ରହିଛି । ମୁମ୍ବାଇରେ 2ଦିନ ଧରି ଚାଲିଥିବା ଏହି ବୈଠକରେ 14 ଜଣ ସଦସ୍ୟ ବିଶିଷ୍ଟ ସମନ୍ୱୟ କମିଟି ଗଠନ କରାଯାଇଛି । ଯେଉଁଥିରେ ଜେଡିୟୁ ଏବଂ ଆରଜେଡି ନେତାମାନଙ୍କୁ ସ୍ଥାନ ଦିଆଯାଇଛି । ମେଣ୍ଟର ବିଭିନ୍ନ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ମୋଟ ପାଞ୍ଚଟି କମିଟି ମଧ୍ୟ ଗଠନ କରାଯାଇଛି । ଆସନ ବୁଝାମଣା ନେଇ ସେପରି କିଛି ସମସ୍ୟା ଆଦୌ ହେବ ନାହିଁ । ଅନ୍ୟ ସମସ୍ତ ନିଷ୍ପତ୍ତି ଏହି ମାସ ଶେଷ ସୁଦ୍ଧା ଚୂଡାନ୍ତ କରାଯିବ । ଆସନ୍ତା ମାସ (ଅକ୍ଟୋବର) 2 ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ମେଣ୍ଟ ସମଗ୍ର ଦେଶରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।