ଗୌହାଟୀ: ଆସାମ ସିଲଚର ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି(NIT) କ୍ୟାମ୍ପସରେ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୋଲିସ ସହ ସଂଘର୍ଷରେ ୪୦ ଜଣ ଛାତ୍ର ଆହତ ହୋଇଛନ୍ତି । କ୍ୟାମ୍ପସରେ ଜଣେ ଛାତ୍ର ଜୀବନ ହାରିବା ପରେ ସେଠାରେ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଜୀବନ ହାରିବା ପରେ NIT କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଛାତ୍ରଛାତ୍ରୀ ହିଂସାତ୍ମକ ଆନ୍ଦୋଳନ କରିଥିଲେ । ଅନେକ ଗାଡିମୋଟର ଭଙ୍ଗାରୁଜା କରିବା ସହିତ ହଷ୍ଟେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ । ପୋଲିସ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସ୍ଥିତି ଆହୁରି ବିଗିଡି ଯାଇଥିଲା । ଛାତ୍ରଛାତ୍ରୀ ସହ ଧସ୍ତାଧସ୍ତି ହେବାରୁ ବାଧ୍ୟ ହୋଇ ପୋଲିସ ଲାଠିଚାର୍ଜ କରିଥିଲା । ଏଥିରେ ଅନେକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ସିଲଚର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।
ଗତ ଶୁକ୍ରବାର ଦିନ ଏନଆଇଟିର ତୃତୀୟ ବର୍ଷର ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା । ହଷ୍ଟେଲ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ କ୍ୟାମ୍ପସରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସହପାଠୀ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ଯେ, କୋଭିଡ ମହାମାରୀ ସମୟରେ ମୃତ ଛାତ୍ରଙ୍କ ଅଞ୍ଚଳରେ ଇଣ୍ଟରନେଟ ସୁବିଧାର ଅଭାବ ହେତୁ ସେ ଅନଲାଇନ କ୍ଲାସ କରିପାରିନଥିଲେ । ଫଳରେ ତାଙ୍କର ଉପସ୍ଥାନ କମି ଯାଇଥିଲା । ଫଳରେ ଏନଆଇଟି କର୍ତ୍ତୃପକ୍ଷ ତାଙ୍କର ୬ଟି ପେପର ବ୍ୟାକ୍ ଲଗାଇଥିଲେ ଏବଂ ସେମିଷ୍ଟାରରେ ମଧ୍ୟ ବସିବାକୁ ଦେଇନଥିଲେ । ଏଥିପାଇଁ ଶୁକ୍ରବାର ଦିନ ସମ୍ପୃକ୍ତ ଛାତ୍ର ଅନ୍ୟ ସହପାଠୀଙ୍କ ସହ ମିଶି କର୍ତ୍ତୃପକ୍ଷଙ୍କୁ ତାଙ୍କର ବ୍ୟାକ ପେପର କ୍ଲିୟର କରିବାକୁ ଦାବି କରିଥିଲେ । ହେଲେ ଓଲଟା କର୍ତ୍ତୃପକ୍ଷ ଖରାପ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଅଫିସରୁ ବାହାର କରିଦେଇଥିଲେ । ଏହାକୁ ନେଇ ଛାତ୍ର ଜଣଙ୍କ ହତାଶ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।