ଓଡିଶା

odisha

By ETV Bharat Odisha Team

Published : Oct 26, 2023, 4:04 PM IST

ETV Bharat / bharat

Cash for Query Accusation: ବଢିଲା ମହୁଆଙ୍କ ଅଡୁଆ, 31ରେ ସଂସଦ ସଦାଚାର କମିଟିରେ ହେବେ ହାଜର

କ୍ଯାସ ଫର କ୍ବାରୀ ମାମଲାରେ ବଢିଲା ମୋଇତ୍ରାଙ୍କ ଅଡୁଆ । ଆଜି ନିଶିକାନ୍ତ ଦୁବେ ଓ ଆଇନଜୀବୀ ଜୟ ଅନନ୍ତଙ୍କ ପକ୍ଷ ଶୁଣିବା ପରେ 31 ତାରିଖରେ ହାଜର ହେବା ପାଇଁ ଡାକିଲା ସଂସଦ ନୀତି କମିଟି । ଅଧିକ ପଢନ୍ତୁ

Cash-for-query accusation : 31 ରେ ସଂସଦ ନୀତି କମିଟି ସମ୍ମୁଖରେ ହାଜର ହେବେ ମୋଇତ୍ରା
Cash-for-query accusation : 31 ରେ ସଂସଦ ନୀତି କମିଟି ସମ୍ମୁଖରେ ହାଜର ହେବେ ମୋଇତ୍ରା

ନୂଆଦିଲ୍ଲୀ:ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା କ୍ୟାସ ଫର କ୍ବାରୀ (ସସଂଦରେ ପ୍ରଶ୍ନ ପାଇଁ ଟଙ୍କା ) ଅଭିଯୋଗରେ ଆଜି ସଂସଦ ସଦାଚାର କମିଟି ନିଜ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି । ଏହି ସଙ୍ଗୀନ ଅଭିଯୋଗକୁ ପ୍ରଥମେ ଉଠାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ପକ୍ଷ ଶୁଣିଛନ୍ତି । ଉଭୟଙ୍କୁ ହାଜର ହେବା ପାଇଁ କମିଟି ନୋଟିସ ଜାରି କରିଥିଲା । ଆଜି ଉଭୟ କମିଟି ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ତେବେ ଏହି ମାମଲାକୁ ଅତି ଗମ୍ଭୀର ମାମଲା ଭାବେ ବିବେଚନା କରି ପ୍ୟାନେଲ ମୋଇତ୍ରାଙ୍କୁ ମଧ୍ୟ 31 ତାରିଖରେ ହାଜର ହେବା ପାଇଁ ସମନ ଜାରି କରିଛି ।


ଆଜି ଉଭୟ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯିବା ପରେ ପ୍ୟାନେଲ ଅଧ୍ୟକ୍ଷ ବିନୋଦ ସୋନକାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ଆଜି ଉଭୟଙ୍କ ପକ୍ଷ ଶୁଣାଯିବା ପରେ ମୋଇତ୍ରାଙ୍କୁ ମଧ୍ୟ ହାଜର ହେବା ପାଇଁ କମିଟି ସମନ ଜାରି କରିଛି । ମୋଇତ୍ରା ଚଳିତ 31 ତାରିଖରେ ନିଜ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ନିଜ ପକ୍ଷ ରଖିବେ । ଏହା ସହ ଏହି ଅଭିଯୋଗକୁ ଏକ ଗମ୍ଭୀର ପ୍ରସଙ୍ଗ ଭାବେ ଦର୍ଶାଇ ପ୍ୟାନେଲ ମୁଖ୍ୟ କହିଛନ୍ତି, କେନ୍ଦ୍ର ଆଇଟି ଓ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ପ୍ୟାନେଲ ଏହି ଅଭିଯୋଗ ସମ୍ପର୍କରେ ତଥ୍ୟ ମାଗିଛି । ତଥାକଥିତ ଅଭିଯୋଗ ଅନୁସାରେ, ମୋଇତ୍ରା ଓ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ସମ୍ପର୍କରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଣାଳୟ ଦେବ । ଏହା ପରେ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତଙ୍କ ଚିଠି ଆଧାରରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସିର ଏହି ଫାଏରବ୍ରାଣ୍ଡ ସାଂସଦଙ୍କ ଉପରେ ଗମ୍ଭୀର ଅଭିଯୋଗ କରିଛନ୍ତି । ମହୁଆ ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କଠୁ ଅର୍ଥ ନେଇ ସଂସଦରେ ଆଦାନୀ ସମୂହ ବିରୋଧରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ କରିଥିଲେ ଦୁବେ । ତେବେ ଏହି ମାମଲାରେ ଜୟ ଅନନ୍ତ ମଧ୍ୟ ସିବିଆଇକୁ 14 ତାରିଖରେ ଚିଠି ଲେଖି ମହୁଆ ମୋଇତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ:-Paper Leak Case: ଆକ୍ସନ ମୁଡରେ ଇଡି, ପୂର୍ବତନ ଶିକ୍ଷାମନ୍ତ୍ରୀଙ୍କ ଘରେ ଚଢାଉ

ଅନ୍ୟପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗରେ କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା । ଏପରି ସଙ୍ଗୀନ ଅଭିଯୋଗ ସତ ହୋଇଥିଲେ ଅତି ଲଜ୍ଜାଜନକ ଓ ଆଶ୍ଚର୍ଯ୍ୟ ଚକିତ କରିବା ପରି ବୋଲି ଚନ୍ଦ୍ରଶେଖର ଟ୍ବିଟ୍‌ରେ କହିଥିଲେ । ଏହି ମାମଲା ଏବେ ସଂସଦ ସଦାଚାର କମିଟିରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ କମିଟି ଉଭୟ ଅଭିଯୋଗକାରୀଙ୍କ ପକ୍ଷ ଶୁଣିଛି । 31ରେ ସାଂସଦ ମହୁଆ ମୋଇତ୍ରା ନିଜେ ପ୍ୟାନେଲରେ ହାଜର ହେବେ ।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details