ପାଟନା: 2013 ମସିହା ବିହାର ପାଟନା ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୯ ଅଭିଯୁକ୍ତ । ଆଜି ଏନେଇ ସ୍ବତନ୍ତ୍ର NIA କୋର୍ଟରେ ଶୁଣାଣି ହୋଇଥିବାବେଳେ ଘଟଣାରେ ସମ୍ପୃକ୍ତ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରମାଣ ଅଭାବରୁ ଅନ୍ୟଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ପାଟନାର ଗାନ୍ଧୀ ମୈଦାନରେ ଚାଲିଥିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ “ହୁଙ୍କାର” ରାଲିରେ ଏହି ବିସ୍ଫୋରଣ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 70ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ।
ଜନସଭା ଚାଲିଥିବା ସ୍ଥାନର ଚତୁଃପାର୍ଶ୍ବରେ ମୋଟ ୬ଟି ସ୍ଥାନରେ ଗୋଟିଏ ପରେ ଗୋଟିଏ କ୍ରମାଗତ ବିସ୍ଫୋରଣ ହୋଇଥିଲା । ମୋଦିଙ୍କ ସଭାମଞ୍ଚର ମାତ୍ର 150 ମିଟର ମଧ୍ୟରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା । ତେବେ ମଞ୍ଚରେ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ପରେ ଘଟଣାସ୍ଥଳରୁ ୪ ଜୀବନ୍ତ ବୋମା ମଧ୍ୟ ଉଦ୍ଧାର କରିଥିଲା ପୋଲିସ ।
ତେବେ ବିସ୍ଫୋରଣ ପରେ ଏହାକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିନଥିଲା ବିହାର ପୋଲିସ । ତତ୍କାଳୀନ ବିହାର ପୋଲିସ ମହାନିର୍ଦ୍ଦେଶକ ଅଭୟାନନ୍ଦ ଏହି ଆକ୍ରମଣରେ IED ଏବଂ ଟାଇମର ବ୍ୟବହାର ହୋଇଥିବା ସ୍ପଷ୍ଟ କରିଥିଲେ । ଆମୋନିୟମ୍ ନାଇଟ୍ରେଟ୍, ଡିଟୋନେଟର, ଟାଇମର୍ ଆଦି ଅତ୍ୟାଧୁନିକ ଉପକରଣ ବିସ୍ଫୋରଣରେ ବ୍ୟବହାର ହୋଇଥିବା ପରବର୍ତ୍ତୀ ତଦନ୍ତରୁ ସ୍ପଷ୍ଟ ହୋଇିଥିଲା ।