ନୂଆଦିଲ୍ଲୀ:ଦିଲ୍ଲୀରେ ବହୁଚର୍ଚ୍ଚିତ ହରିଦାସ ନଗର ନିକ୍କି ଯାଦବ ହତ୍ୟାକାଣ୍ଡ ମାମଲା । ଏହି ଘଟଣାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନିକ୍କିଙ୍କ ବୟଫ୍ରେଣ୍ଡଙ୍କ ବାପା ମଧ୍ୟ ରହିଛନ୍ତି । ହତ୍ୟାଘଟଣାରେ ପୁଅଙ୍କୁ ସାହାଯ୍ୟ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି । ଏହି ହତ୍ୟା ଘଟଣାରେ ଗିରଫ ଦାରୀ ସଂଖ୍ୟା 6କୁ ବୃଦ୍ଧି ହୋଇଥିବା ଦିଲ୍ଲୀ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
ଏନେଇ ପୋଲିସ କହିଛି ଯେ, ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟତିତ ଅନ୍ୟ 5ଜଣଙ୍କୁ ନିକ୍କି ଯାଦବ ହତ୍ୟାଘଟଣାରେ ଗିରଫ କରାଯାଇଛି । ହତ୍ୟା ଷଡଯନ୍ତ୍ର ରଚିବାରେ ସାହିଲଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ବାପା । ସେଥିପାଇଁ ସାହିଲଙ୍କ ବାପାଙ୍କୁ ଗିରଫ କରାଯାଇଥିବା ସ୍ପେଶାଲ ସିପି ରବିନ୍ଦ୍ର ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ 4 ଅଭିଯୁକ୍ତ ହେଉଛନ୍ତି ସାହିଲଙ୍କ ସାଙ୍ଗ, ସମ୍ପର୍କୀୟ ଓ ଭାଇ ।
ସୂଚନା ଅନୁଯାୟୀ, ଅକ୍ଟୋବର 2020ରେ ଦିଲ୍ଲୀ ନୋଏଡାର ଏକ ମନ୍ଦିରରେ ନିକ୍କିଙ୍କୁ ବିବାହ କରିଥିଲେ ସାହିଲ । କିନ୍ତୁ ଏହି ବିବାହରେ ସାହିଲଙ୍କ ପରିବାର ଖୁସିନଥିଲେ । ସାହିଲକୁ ରିମାଣ୍ଡରେ ଅଣାଯାଇଥିବା ବେଳେ ଉଭୟଙ୍କ ବିବାହ ପ୍ରମାଣପତ୍ର ପୋଲିସ ହାତରେ ଲଗିଥିଲା । ସାହିଲଙ୍କ ବନ୍ଧୁ ଏବଂ ସମ୍ପର୍କୀୟ ଭାଇ ନିକ୍କିଙ୍କ ମୃତଦେହକୁ ଫ୍ରିଜରେ ଲୁଚାଇବାରେ ସାହାଯ୍ୟ କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ ସାହିଲ ନିକ୍କିଙ୍କ ଫୋନରୁ ସମସ୍ତ ଫଟୋ ଓ ଚାଟ ଡିଲିଟ କରିଦେଇଥିଲା । ଯାହା ତଦନ୍ତ ସମୟରେ ଅଭିଯୁକ୍ତ ଜଣଙ୍କ କ୍ରାଇମବ୍ରାଞ୍ଚକୁ କହିଥିଲା ।
ଗତ 15 ତାରିଖ ଦିନ ଦିଲ୍ଲୀରେ ପ୍ରେମିକାକୁ ମାରି ଫ୍ରିଜ ଭିତରେ ରଖିବା ଘଟଣା ସାମ୍ନାକୁ ଆସିଥିଲା । ନିକ୍କି ବିବାହ ପାଇଁ ପ୍ରେମିକ ସାହିଲ ଉପରେ ବାରମ୍ବାର ଚାପ ପକାଇବାରୁ ଉଭୟଙ୍କ ମଧ୍ୟରେ ଗତ କିଛି ମାସ ହେବ ତିକ୍ତତା ଲାଗି ରହିଥିଲା । ଏଣୁ ସେ ନିକିଙ୍କୁ ହତ୍ୟା କରିବାରୁ ଷଡଯନ୍ତ୍ର ରଚିଥିଲା । ନିକ୍କିଙ୍କ ତଣ୍ଟି ଚିପି ହତ୍ୟା ପରେ ଏକ ଢାବାରେ ଥିବା ଫ୍ରିଜ ଭିତରେ ଲୁଚାଇ ଦେଇଥିଲା ମୃତଦେହ । ହତ୍ୟା କରିବାର 12 ଘଣ୍ଟା ପରେ ଘରଲୋକ ଠିକ କରିଥିବା ଝିଅ ସହ ବିବାହ କରିଥିଲା ଅଭିଯୁକ୍ତ ଜଣଙ୍କ ।
ତେବେ ନିକ୍କିଙ୍କୁ ହତ୍ୟା ପୂର୍ବରୁ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ନିକ୍କି ଫେବୃୟାରୀ 9ତାରିଖ ଯାଏଁ ଜୀବିତ ଥିବା ସ୍ପଷ୍ଟ ହୋଇଥିଲା । ପ୍ରଥମ ଫୁଟେଜରେ 9 ତାରିଖ ପୂର୍ବାହ୍ନ ପ୍ରାୟ 1ଟା ବେଳେ ଯୁବତୀ ନିଜ ରୁମକୁ ଫେରୁଥିବା ଦେଖିବାକୁ ମିଳିଥିଲା । ଏବଂ ଦ୍ବିତୀୟ ଭିଡିଓରେ ସେହି ଦିନ ରାତି ପ୍ରାୟ ସାଢେ 9ଟା ସମୟରେ ନିକ୍କି ବାହାରକୁ ଯାଉଥିବାର ଦେଖିବାକୁ ମିଳିଥିଲା ।