ମୁମ୍ବାଇ: ମୁମ୍ବାଇ ସହରରେ ଜାରି ରହିଥିବା କୋଭିଡ କଟକଣାକୁ ଆଜି କୋହଳ କରିଛନ୍ତି ମହାରାଷ୍ଟ୍ର ସରକାର । ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣାକୁ କୋହଳ କରାଯାଇଛି । ସେହି କ୍ରମରେ ମୁମ୍ବାଇ ସହରରେ ଜାରି ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁକୁ ହଟାଯାଇଛି । ପୂର୍ବରୁ ରାତି 11 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲେ ମହାରାଷ୍ଟ୍ର ସରକାର ।
ସେହିପରି ଅନ୍ୟ ସ୍ଥାନମାନଙ୍କରେ ଜାରି ରହିଥିବା କଟକଣାରେ ମଧ୍ୟ ସଂଶୋଧିତ କରାଯାଇ ହ୍ରାସ କରାଯାଇଛି । ରେସ୍ତୋରାଁ, ପ୍ରେକ୍ଷାଳୟ, ସୁଇମିଂ ପୁଲ୍ ଏବଂ ୱାଟର ପାର୍କଗୁଡିକ ବର୍ତ୍ତମାନ 50 ପ୍ରତିଶତ କ୍ଷମତା ସହିତ ଖୋଲା ରହିପାରିବ । ସେହିପରି ସର୍ବସାଧାରଣ ସ୍ଥାନ ଯଥା ବେଳାଭୂମି, ପାର୍କ ଓ ସାଧାରଣ ପର୍ଯ୍ୟଟନସ୍ଥଳୀଗୁଡିକରେ ସ୍ବାଭାବିକ ଭାବେ ଦର୍ଶକମାନେ ପରିଭ୍ରମଣ କରିପାରିବେ ।