ଶ୍ରୀନଗର:ଗତ ଜୁନ ୨୭ ତାରିଖରେ ଜମ୍ମୁକାଶ୍ମୀରର ଉପତ୍ୟକାରେ IED ବୋମା ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ଭିତ୍ତି କରି ଆଜି(ମଙ୍ଗଳବାର) କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ଚଢାଉ କରିଥିବା ଜଣାପଡ଼ିଛି । ଶ୍ରୀନଗରର ଲସଜାନ ଅଞ୍ଚଳରେ ରହୁଥିବା ଅଧିବାସୀ ମହମ୍ମଦ ଶାଫି ୱାନିଙ୍କ ଘରେ NIA ଟିମ ଚଢାଉ କରି ତାଙ୍କ ଫୋନ ଜବତ କରିଥିବା ସୂତ୍ରରୁ ସୂଚନା ମିଳିଛି ।
ଲସଜାନ ଅଧିବାସୀ ମହମ୍ମଦ ଶାଫିଙ୍କ ସମେତ ତାଙ୍କ ପୁଅ ରେଇଜ ଅହମ୍ମଦ ୱାନିଙ୍କ ମଧ୍ୟ ଫୋନକୁ ଜବତ କରାଯାଇଛି । କୁଲଗ୍ରାମ ଜିଲ୍ଲାର ଗଞ୍ଜିପୋରାର ୱସିମ ଅହମ୍ମଦ ଦାର ଓ ଅନନ୍ତନାଗ ଜିଲ୍ଲାର ବାମନୁଙ୍କ ଘରେ ମଧ୍ୟ ଟିମ ରେଡ କରିଛି । ଏହାସହିତ ବାରମୁଲ୍ଲା ଜିଲ୍ଲାରେ ମଧ୍ୟ କିଛି ଅଞ୍ଚଳବାସୀଙ୍କ ଘରେ ଏକକାଳୀନ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଜାତୀୟ ତଦନ୍ତକାରୀ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇନାହିଁ । ଏହି ଚଢାଉ ସମୟରେ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି ।