ନୂଆଦିଲ୍ଲୀ:ଗ୍ୟାଙ୍ଗଷ୍ଚାର ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ସର୍ଚ୍ଚ ଅପରେସନ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶର ପ୍ରାୟ 70ଟି ସ୍ଥାନରେ ଏହି ଚଢାଉ ଜାରିରହିଛି । ତଦନ୍ତକାରୀ ସଂସ୍ଥା ଓ ସ୍ଥାନୀୟ ପୋଲିସର ଏକାଧିକ ଟିମ ଏକକାଳୀନ ଏହି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଫଳାଫଳ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଏହି ସର୍ଚ୍ଚ କରାଯାଉଛି । ପୂର୍ବରୁ ଏହି ଗ୍ୟାଙ୍ଗର 4 ଅଭ୍ୟାସଗତ ଅପରାଧୀ ଏନଆଇଏ କବଜାକୁ ଆସିଥିଲେ । ଏମାନଙ୍କ ବିରୋଧରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ଦାଏର ହୋଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆଜି ଅନ୍ୟ କିଛି ସ୍ଥାନରେ ଚଢାଉ ଜାରି ରହିଛି । ସେହିପରି ଅଭ୍ୟାସଗତ ଅପରାଧ, ମାରଣାସ୍ତ୍ର ଯୋଗାଣ, ଦାଦାବଟି, ନିଶା କାରବାର ଆଦି ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସୂଚନା ଆଧାରରେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସମୟରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।