ନୂଆଦିଲ୍ଲୀ:କୁଖ୍ୟାତଆତଙ୍କବାଦୀ ସଂଗଠନ ISISର ଷଡଯନ୍ତ୍ର ବିରୋଧରେ ଏନଆଇଏର ବଡ ଆକ୍ସନ । ଭାରତରେ ଆତଙ୍କୀ ଆକ୍ରମଣ ଘଟାଇବା ପାଇଁ ISIS ଷଡଯନ୍ତ୍ର ମାମଲାରେ ଆଜି ସକାଳୁ ଦେଶରେ ୪୩ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଚଢାଉରେ ଏନଆଇଏ ସହିତ ସ୍ଥାନୀୟ ପୋଲିସ ସାମିଲ ରହିଛି । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇ, ଥାନେ ରୁରାଲ ଅଞ୍ଚଳର ୩୧ ଏବଂ ଥାନା ସହରର ୯ଟି ଜାଗାରେ ଏହି ରେଡ୍ ଜାରି ରହିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଏନଆଇଏ ୧୩ ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି ।
ଭାରତରେ ଆତଙ୍କବାଦ ଓ ହିଂସା ବିସ୍ତାର ପାଇଁ ISIS ଆତଙ୍କୀ ସଂଗଠନ ରଚିଥିବା ଷଡଯନ୍ତ୍ର ବିଫଳ କରିବାକୁ ଏନଆଇଏ ଏହି ରେଡ୍ କରୁଛି । ଚଢାଉ ସମୟରେ ତଦନ୍ତକାରୀ ଏଜେନ୍ସି (NIA) ଆତଙ୍କବାଦୀଙ୍କ ଅନ୍ତରାଷ୍ଟ୍ରୀୟ କନେକ୍ସନ ଏବଂ ବିଦେଶରେ ସ୍ଥିତ ଆଇଏସଆଇଏସ ହ୍ୟାଣ୍ଡଲରଙ୍କ ସମ୍ପୃକ୍ତର ବଡ ଖୁଲାସା କରିଛି । ତଦନ୍ତରୁ ଭାରତ ଭିତରେ ଆଇଏସଆଇଏସର ଆତଙ୍କବାଦ ବିଚାରଧାରା ପ୍ରଚାର କରିବାକୁ ତିଆରି ହୋଇଥିବା ଗୋଟିଏ ବଡ ନେଟୱାର୍କର ମଧ୍ୟ ପର୍ଦ୍ଦାଫାସ ହୋଇଛି ।
ଗିରଫ ଅଭିଯୁକ୍ତମାନେ ଅଲକାଏଦ ଏବଂ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଆତଙ୍କବାଦ ବିଚାରଧାରାର ପ୍ରଚାର ପ୍ରସାର ସହିତ ଗୋଟିଏ ଆତଙ୍କୀ ଗ୍ୟାଙ୍ଗ ଗଠନ କରିବାକୁ ଷଡଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ ଧର୍ମ ଆଳରେ ଏଭଳି ସମାନ ମାନସିକତା ଥିବା ଯୁବଗୋଷ୍ଠୀକୁ ନିଜ ସହିତ ସାମିଲ କରିଥିଲେ ।