ନୂଆଦିଲ୍ଲୀ:ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର ଓ ନିଶା ମାଫିଆଙ୍କ ଦ୍ବାରା ସମନ୍ବିତ ଅପରାଧିକ ନେଟଓ୍ବାର୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ରାଜଧାନୀ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଏକାଧିକ ସ୍ଥାନରେ ମେଗା ଅପରେସନ ଜାରି ରଖିଛି । ଆଜି ଏକାକାଳୀନ 4 ରାଜ୍ୟ ଓ 2 କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 32 ଟି ସ୍ଥାନରେ ଏନଆଇଏ ଟିମ ସ୍ଥାନୀୟ ପୋଲିସ ସହାୟତାରେ ଚଢାଉ ଜାରି ରହିଛି । ଜେଲରେ ବନ୍ଦ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଓ ପଞ୍ଜାବର ଆତଙ୍କୀ ସଂଗଠନ ‘ବାବର ଖାଲସା ଇଣ୍ଟରନେସନାଲ’ (BKI) ଓ ଅନ୍ୟ ଆତଙ୍କୀ ସଂଗଠନ ଲିଙ୍କରେ ଥିବା ଏକାଧିକ ଠିକଣାରେ ଏହି ଚଢାଉ ଜାରି ରହିଛି ।
ଜାତୀୟ ତଦନ୍ତକାରୀ ସଂସ୍ଥାର ମେଗା ଅପରେସନ ରାଜଧାନୀ ଦିଲ୍ଲୀ ସମେତ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଚଣ୍ଡିଗଡରେ ଜାରି ରହିଛି । ଏବେ ସୁଦ୍ଧା ଗିରଫଦାରୀ ସମ୍ପର୍କରେ କୌଣସି ତଥ୍ୟ ସ୍ପଷ୍ଟ ହୋଇନଥିବା ବେଳେ ଏକାଧିକ ମାରଣାସ୍ତ୍ର, ପ୍ରାୟ 4 ଲକ୍ଷ ନଗଦ ଟଙ୍କା ଓ ବହୁ ଡିଜିଟାଲ ଡିଭାଇସ ତଦନ୍ତକାରୀ ସଂସ୍ଥାର ଟିମ୍ ହାତରେ ଲାଗିଥିବା ସୂଚନା ମିଳିଛି ।
କେସ ନମ୍ବର (RC-21/2023/NIA/DLI) ଅନୁସାରେ, ପଞ୍ଜାବରୁ ସଞ୍ଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ‘ବିକେଆଇ’ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗତବର୍ଷ ଜୁଲାଇରେ ହରବିନ୍ଦର ସିଂ ଓରଫ ରିନ୍ଦା, ଲଖବୀର ସିଂ ସନ୍ଧୁ ଓରଫ ଲଣ୍ଡା ବିରୋଧରେ NIA ନିଜଆଡୁ ମାମଲା ରୁଜୁ କରିଥିଲା । ଏହି ଉଭୟ ଅପରାଧି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡିବା ପରେ ଏହି ଦୁଇ ମାଫିଆଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା ।