ନୂଆଦିଲ୍ଲୀ:ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଦଣ୍ଡ ଶୁଣାଇଲେ ଦିଲ୍ଲୀର NIA କୋର୍ଟ । ଫାଶୀ ଦଣ୍ଡାଦେଶ ଦାବି କରିଥିଲା NIA ।
ଆଜି ରାୟ ଆସିବାକୁ ଥିବାରୁ ୟାସିନକୁ NIA କୋର୍ଟରେ ହାଜର କରାଯାଇଥିଲା । ତେବେ ୟାସିନକୁ ଫାସି ଦଣ୍ଡାଦେଶ ପାଇଁ ଆବେଦନରେ ଦାବି କରିଥିଲା ତଦନ୍ତକାରୀ ସଂସ୍ଥା NIA । ଆଜି ଅପରାହ୍ନରେ କଡା ସୁରକ୍ଷା ବଳୟ ମଧ୍ୟରେ ମଲ୍ଲିକକୁ ଦିଲ୍ଲୀର NIA ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା ।
ରାୟ ପ୍ରକାଶ ପାଇବା ପୂର୍ବରୁ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 1990 ମସିହାରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ତଥା ସ୍ବାଧୀନ କାଶ୍ମୀର ଦାବି କରି କାଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲା ୟାସିନ । ପୋଲିସ, ସୁରକ୍ଷାକର୍ମୀ ଓ ଭାରତୀୟ ବାୟୂସେନାର ଅଧିକାରୀଙ୍କୁ ହତ୍ୟା କରିବା ପରି ସଙ୍ଗୀନ ମାମଲା ୟାସିନ ବିରୋଧରେ ରହିଛି । ତାକୁ ପ୍ରଥମେ 1990 ରେ ଗିରଫ କରାଯାଇଥିଲା । 1993 ରେ ସେ ଆତଙ୍କୀ କାର୍ଯ୍ୟକଳାପ ଛାଡି ରାଜନୀତିରେ ପ୍ରବେଶ କରିବା ସହ ଅଲ ପାର୍ଟି ହୁରିୟତ କନଫରେନ୍ସ (APHC) ଗଠନ କରିଥିଲା ।
ତେବେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ନିଜେ ମଧ୍ୟ ଦୋଷ ସ୍ୱୀକାର କରିଥିଲା । ପୂର୍ବରୁ 30 ବର୍ଷ ପରେ ତା ବିରୋଧରେ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାର ବିଚାର ଆରମ୍ଭ ହୋଇଥିଲା । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏନଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଦିଲ୍ଲୀର ଏକ କୋର୍ଟରେ ୟାସିନ ମଲିକ ଆତଙ୍କବାଦୀକୁ ଆର୍ଥିକ ସହାୟତା ଯୋଗାଉଥିବା ମାମଲାରେ ତାଙ୍କ ନାଁରେ ହୋଇଥିବା ଅଭିଯୋଗକୁ ସ୍ବୀକାର କରିଥିଲେ, ଯାହା ପରେ କୋର୍ଟ ଆଜି ମଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୟାସିନ ମଲିକ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ନେଇ ପୂର୍ବରୁ ସ୍ବୀକାର କରିଥିଲେ । ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ।
ତା’ ବିରୋଧରେ ୟୁଏପିଏର ଧାରା ୧୬, ୧୭, ୧୮, ୨୦ ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ୧୨୦-ବି, ୧୨୪-ଏ ଲାଗିଥିଲା । ୟାସିନ ମଲିକ କଶ୍ମୀର ରାଜନୀତିରେ ବେଶ୍ ସକ୍ରିୟ ଥିଲା । ୟାସିନ ମଲିକଙ୍କ ବିରୋଧରେ ୧୯୯୦ରେ ୪ଜଣ ବାୟୁସେନା କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି, ଯାହାକୁ ସେ ମାନିଥିଲା । ଗୃହ ମନ୍ତ୍ରଣାଳୟର ସୂଚନା ପାଇବା ପରେ, NIA ଭାରତୀୟ ଦଣ୍ଡ ସଂହିତା ବିଭାଗର 120ଖ, 121, 121କ ଏବଂ UAPAର ଧାରା 13, 16, 17, 18, 20, 38, 39 ଏବଂ 40 ରେ ଏକ ମାମଲା ରୁଜୁ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ