ନୂଆଦିଲ୍ଲୀ:ଆତଙ୍କବାଦୀ ସଂଗଠନ ଓ ଅପରାଧିକ କାର୍ଯ୍ୟକଳାପରେ କିଛି ସଂଗଠନର ସମ୍ପୃକ୍ତି ଥିବା ଇନପୁଟ ସୂଚନା ମିଳିବା ପରେ କାଶ୍ମୀରର 18 ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ (NIA conducted searches in jk)। ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଓ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବା ଅଭିଯୋଗରେ ଅଲ ହୁଦା ଏଜୁକେସନାଲ ଟ୍ରଷ୍ଟ (AHET)ର ଓ ତାର କିଛି ସହଯୋଗୀ ସଂଗଠନର ଏକାଧିକ ଶାଖା ଓ ଆଡ୍ଡାରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ଜଣେ କାର୍ଯ୍ୟକର୍ତ୍ତାକୁ ଆତଙ୍କୀ ଲିଙ୍କ ସନ୍ଦେହରେ ଗିରଫ ମଧ୍ୟ କରାଯାଇଥିବା ସୂଚନା ମିଳିଛି । ଏନଆଇଏର ଏକାଧିକ ଟିମ ବିଭିନ୍ନ ଆଡ୍ଡାରେ ଚଢାଉ ଜାରି ରଖିଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ରାଜୌରୀ, ପୁଞ୍ଚ, ଜାମ୍ମୁ, ଶ୍ରୀନଗର, ବାନ୍ଦିପୋରା, ଶୋପିଆନ୍, ପୁଲୱାମା ଏବଂ ବଡଗାମ ଜିଲ୍ଲାର ଏକାଧିକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ମୁଖ୍ୟ ତଥା ରାଜୌରୀ ଜିଲ୍ଲାର ବାସିନ୍ଦା ମହମ୍ମଦ ଆମୀର ଶାମସିଙ୍କୁ ଗିରଫ କରି ଜେରା ଜାରି ରଖିଛି ସଂସ୍ଥା (NIA conducted searches in jk)। ଶାମସି ଏହି ଏଜୁକେସନାଲ ଟ୍ରଷ୍ଟର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲା । ଏହି ଟ୍ରଷ୍ଟ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବାରେ ଲିପ୍ତ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଚଢାଉ କରିଛି ସଂସ୍ଥା ।