ଓଡିଶା

odisha

By

Published : Jun 8, 2022, 5:41 PM IST

ETV Bharat / bharat

Guinness World Record of NHAI: 105 ଘଣ୍ଟାରେ ନିର୍ମାଣ କଲା 75 କି.ମି ରାଜପଥ

ଗିନିଜ ଓ୍ବାର୍ଲ୍ଡ ରେକର୍ଡ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) । ମାତ୍ର 105 ଘଣ୍ଟାରେ ଶେଷ ହେଲା 75 କି.ମି ରାଜପଥର ନିର୍ମାଣ କାର୍ଯ୍ୟ । ଧନ୍ୟବାଦ ସହ ଖୁସିବ୍ୟକ୍ତ କଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକାରୀ । ଅଧିକ ପଢନ୍ତୁ

ଜାତୀୟ ରାଜପଥ ନିର୍ମାଣରେ NHAI ର ଗିନିଜ ଓ୍ବାର୍ଲ୍ଡ ରେକର୍ଡ: 105 ଘଣ୍ଟାରେ ନିର୍ମାଣ ହେଲା 75 କିମି ରାଜପଥ
ଜାତୀୟ ରାଜପଥ ନିର୍ମାଣରେ NHAI ର ଗିନିଜ ଓ୍ବାର୍ଲ୍ଡ ରେକର୍ଡ: 105 ଘଣ୍ଟାରେ ନିର୍ମାଣ ହେଲା 75 କିମି ରାଜପଥ

ନୂଆଦିଲ୍ଲୀ:ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ବିଶ୍ବ ରେକର୍ଡର ଅଧିକାରୀ ହୋଇଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) । ମାତ୍ର 105 ଘଣ୍ଟା ମଧ୍ୟରେ 75 କି.ମି ରାଜପଥ ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡରେ NHAI ସ୍ଥାନ ପକ୍କା କରିଛି । ଆଜି ଏହି ସଫଳତା ନେଇ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଘୋଷଣା କରିବା ସହ ଖୁସିବ୍ୟକ୍ତ କରିଛନ୍ତି ।

NH-53 ଅମରାବତୀରୁ ଅକୋଲା ମଧ୍ୟରେ ଏହି ନିର୍ମାଣ ଶେଷ ହୋଇଛି । ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ 105 ଘଣ୍ଟା 33 ମିନିଟ ସମୟ ଲାଗିଛି । କେନ୍ଦ୍ରମନ୍ତ୍ରୀ ଗଡକରୀ ନିଜ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି । ଭାରତ ସ୍ବାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ ‘ଆଜାଦି କି ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ଏହି ସଫଳତା ମିଳିଥିବା ସେ ପ୍ରକାଶ କରିଛନ୍ତି ।

ଏହି ମିଶନରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ, ଠିକାଦାର ଓ ଶ୍ରମିକଙ୍କୁ ଗଡକରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସମସ୍ତଙ୍କ ସହଯୋଗରେ ଏହି ପ୍ରକଳ୍ପକୁ ବିଶ୍ବ ରେକର୍ଡର ମାନ୍ୟତା ମିଳିଥିବା ଗଡକରୀ କହିଛନ୍ତି । ଅମରାବତୀରୁ ଅକୋଲା ମଧ୍ୟରେ ଏହି ରାଜପଥ ନିର୍ମାଣ ଚାଲିଥିଲା । ଏହି ପ୍ରକଳ୍ପରେ ଜାତୀୟ ରାଜପଥ ପ୍ରାଧିକରଣ ସମେତ ରାଜପଥ ଇମ୍ଫ୍ରାକନ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ ନିର୍ମାଣକାରୀ ସଂସ୍ଥା ମଧ୍ୟ ନିୟୋଜିତ ଥିଲା ।

ଏହି ଜାତୀୟ ରାଜପଥ ଏକ ସିଙ୍ଗଲ ଲେନ ବିଶିଷ୍ଟ ରହିଛି । ଜୁନ 3 ତାରିଖ ସକାଳ 7 ଟା 27 ମିନିଟରେ କାର୍ଯ୍ୟ ଆରମ୍ଭ ହୋଇ 7 ତାରିଖ ସନ୍ଧ୍ୟା 5 ଟାରେ 75 କି.ମି ରାସ୍ତା ନିର୍ମାଣ ଶେଷ ହୋଇଥିଲା । ଏହି ପ୍ରକଳ୍ପରେ ଯନ୍ତ୍ରୀ ଓ ଅନ୍ୟମାନଙ୍କୁ ମିଶାଇ ମୋଟ 720 ଜଣ ନିୟୋଜିତ ହୋଇଥିଲେ । ଏହା ପୂର୍ବରୁ ସର୍ବକାଳୀନ କମ ସମୟରେ ରାସ୍ତା ନିର୍ମାଣ ରେକର୍ଡ କତାର ରାଜଧାନୀ ଦୋହରେ ରହିଥିଲା । ଫେବୃଆରୀ 2019ରେ 10 ଦିନରେ 25.275 କି.ମି ରାସ୍ତା ନିର୍ମାଣ କରି ଏହି ରେକର୍ଡର ଅଧିକାରୀ ହୋଇଥିଲା କତାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details