ନୂଆଦିଲ୍ଲୀ:ଗଣମାଧ୍ୟମ ସଂସ୍ଥା ‘ନ୍ୟୁଜ୍ କ୍ଲିକ’ର ଏଚଆର (ମାନବ ସମ୍ବଳ) ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସରକାରୀ ସାକ୍ଷୀ ହେବା ପାଇଁ ଆବେଦନ କରିଛନ୍ତି । ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏହି ଆବେଦନ ଉପରେ ଅମିତ ଚକ୍ରବର୍ତ୍ତୀଙ୍କ ବିବୃତ୍ତି ରେକର୍ଡ କରିବାକୁ ଅତିରିକ୍ତ ଶେସନ ବିଚାରପତି ହାର୍ଦ୍ଦିକ କୌର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଡିସେମ୍ବର 22 ରେ, ପଟିଆଲା ହାଉସ୍ କୋର୍ଟ ନ୍ୟୁଜ୍ କ୍ଲିକ୍ ବିରୋଧରେ UAPA ଆକ୍ଟ ଅଧୀନରେ ଥିବା ଅଭିଯୋଗର ଯାଞ୍ଚ ସାରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ କୁ ଆଉ 60 ଦିନ ସମୟ ଦେଇଛନ୍ତି ।
ପ୍ରବୀର ପୁରକାୟା ଏବଂ ଅମିତ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର 3 ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଆଧାରରେ ଉଭୟଙ୍କୁ ଗିରଫ କରାଯାଇଥିଲା । ନ୍ୟୁୟର୍କ ଟାଇମ୍ସରେ ଏକ ଖବର ପ୍ରକାଶିତ ହୋଇଥିଲା ଯେ, ନ୍ୟୁଜ୍ କ୍ଲିକ୍ ଚୀନର ପ୍ରଚାରକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥ ସଂଗ୍ରହ କରିଛି ଓ ପ୍ରୋପାଗଣ୍ଡା ଭିତ୍ତିକ ଖବର ପ୍ରସାରଣ କରିଛି । ଅଭିଯୋଗ ଅନୁଯାୟୀ ଆମେରିକୀୟ କୋଟିପତି ନେଭିଲ୍ ରଏ ସିଙ୍ଗହମ୍ ନ୍ୟୁଜ୍ କ୍ଲିକ୍କୁ ଏପରି କରିବାକୁ ଏହି ଟଙ୍କା ଦେଇଥିଲେ।
ବର୍ତ୍ତମାନ, ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟା ଏବଂ ଅମିତ ଚକ୍ରବର୍ତ୍ତୀ ନ୍ୟାୟିକ ହେପାଜତରେ ଅଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ତଦନ୍ତ ସମୟ ସୀମାକୁ ଆହୁରି ତିନିମାସ ବୃଦ୍ଧି କରିବାକୁ ଅନୁମତି ମାଗିଥିଲା। ଏହି ଘଟଣାର ତଦନ୍ତ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଦିଲ୍ଲୀ ପୋଲିସ କହିଛି। ନିକଟରେ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ମୁକ୍ତ କରିବା ପାଇଁ ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ତାଙ୍କ ଦାବିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।