ନୂଆଦିଲ୍ଲୀ: କୋରୋନା ଭାଇରସର ଆଉ ଏକ ଘାତକ ଭାରିଏଣ୍ଟ ସମ୍ପର୍କରେ ସତର୍କ କରାଇଛନ୍ତି ଚୀନ ବୈଜ୍ଞାନିକ । ଏହି ଭାଇରସ ଏଯାବତ ବାହାରିଥିବା ସମସ୍ତ କୋଭିଡ଼ ଷ୍ଟ୍ରେନ ଠାରୁ ଅଧିକ ଘାତକ ବୋଲି ଜଣାପଡ଼ିଛି । ଏହାର ନାମ ରଖାଯାଇଛି NeoCov । ରିପୋର୍ଟ ଅନୁସାରେ ଏଥିରେ ଆକ୍ରାନ୍ତ ହେଉଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହା ଦ୍ରୁତ ଗତିରେ ସଂକ୍ରମଣ କରାଉଥିବା ବେଳେ ଶ୍ବାସନଳୀକୁ ସଂକ୍ରମିତ କରୁଥିବା ଜଣାପଡ଼ିଛି ।
ବର୍ତ୍ତମାନ ବିଶ୍ବରେ କୋଭିଡ଼ ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଟୀକାକରଣ କରାଯାଉଛି । ଅଧ୍ୟୟନରୁ ଜଣାପଡିଛି ଯେ ଏହି ଟୀକାକରଣ NeoCov ଭାରିଏଣ୍ଟ ସଂକ୍ରମଣରୁ କୌଣସି ମତେ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ପ୍ରାଥମିକ ପର୍ଯ୍ୟାୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଓମିକ୍ରନ ଭାରିଏଣ୍ଟର ଅଧିକ ମାତ୍ରାରେ ରୂପାନ୍ତରିତ ହେବା ପରେ ଏହି ଭାଇରସର ସୃଷ୍ଟି ହୋଇଛି । ସାଉଥ ଆଫ୍ରିକାର ବାଦୁଡିଙ୍କ ମଧ୍ୟରେ ଏହି ଭାଇରସକୁ ଚିହ୍ନଟ କରାଯାଇଥିବା ବେଳେ ଏହା ବାଦୁ଼ଡିକୁ ସଂକ୍ରମିତ କରୁବାରେ ଲାଗିଥିବା ଜଣାପଡ଼ିଛି ।