ଓଡିଶା

odisha

ETV Bharat / bharat

Punjab Congress; ଟଳି ନାହିଁ ସଂକଟ, ହଟିନାହିଁ ବିପଦ - କ୍ୟାପଟେନ ଅମିରନ୍ଦର ସିଂ

ରାଜ୍ୟ କଂଗ୍ରେସ ମୁଖ୍ୟ ହେବାପରେ ଏବେ ନବଜ୍ୟୋତ ସିଂ ସିଦ୍ଧୁ ଅମୃତସର ସ୍ଥିତ ନିଜ ବାସଭବନରେ ରହି ସମର୍ଥକ ପ୍ରଶଂସକ ଓ ଦଳୀୟ ନେତାଙ୍କୁ ସାକ୍ଷାତ କରୁଛନ୍ତି । ଏହାସହ ଆଗାମୀ ଦିନରେ ଦଳକୁ କିପରି ଶକ୍ତିଶାଳୀ କରାଯିବ ଓ ନିର୍ବାଚନ ଲଢିବ ସେନେଇ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଛି ।

Punjab Congress
Punjab Congress

By

Published : Jul 21, 2021, 7:14 PM IST

ମୋହାଲି: ପଞ୍ଜାବ କଂଗ୍ରେସରେ ଜାରି ପତିଆରା ଲଢେଇର ହେଉନାହିଁ ଅନ୍ତ । କ୍ୟାପଟେନ ଅମିରନ୍ଦର ସିଂ ଓ ରାଜ୍ୟ କଂଗ୍ରେସ ମୁଖିଆ ଭାବେ ନୂଆ ନିଯୁକ୍ତି ପାଇଥିବା ନବଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବଳକାଷା କଷି ତୀବ୍ରତର ହେବାରେ ଲାଗିଛି ।

ନୂଆ ପ୍ରଦେଶ କଂଗ୍ରେସ ସଭାପତି ହୋଇଥିବା ନବଜ୍ୟୋତ ସିଂ ସିଦ୍ଧୁ ଏବେ ମନ୍ଦିର ଗୁରୁଦ୍ବାର ଯାଇ ଭଗବାନଙ୍କ ଆର୍ଶିବାଦ ନେଉଛନ୍ତି । ଏହାସହ ଦଳୀୟ କର୍ମୀଙ୍କ ଶୁଭେଚ୍ଛା ସମ୍ବୋର୍ଦ୍ଧନା ଜାରି ରହିଛି । ଯାହାକୁ ସହଜରେ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି କ୍ୟାପଟେନ । ଏପରି ସ୍ଥଳେ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ କିଭଳି ଲଢେଇ କରିବ ଏବେ ତାହା ବଡ ପ୍ରଶ୍ନ ?

ନିଜ ପକ୍ଷକୁ ଶକ୍ତଶାଳୀ କରିବାକୁ ବଡ ଯୋଜନା...

ରାଜ୍ୟ କଂଗ୍ରେସ ମୁଖ୍ୟ ହେବାପରେ ଏବେ ନବଜ୍ୟୋତ ସିଂ ସିଦ୍ଧୁ ଅମୃତସର ସ୍ଥିତ ନିଜ ବାସଭବନରେ ରହି ସମର୍ଥକ ପ୍ରଶଂସକ ଓ ଦଳୀୟ ନେତାଙ୍କୁ ସାକ୍ଷାତ କରୁଛନ୍ତି । ଏହାସହ ଆଗାମୀ ଦିନରେ ଦଳକୁ କିପରି ଶକ୍ତିଶାଳୀ କରାଯିବ ଓ ନିର୍ବାଚନ ଲଢିବ ସେନେଇ ରଣନୀତି ପ୍ରସ୍ତୁତ ଆରମ୍ଭ ହୋଇଛି । ସିଦ୍ଧୁ କ୍ୟାପଟେନ ରଖିଥିବା ସର୍ତକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । କୌଣସି ସ୍ଥିତିରେ କ୍ୟାପଟେନଙ୍କୁ ସର୍ବ ସମ୍ମୁଖରେ କ୍ଷମା ମାଗିବେ ନାହିଁ ବୋଲି ଜଣାପଡିଛି । ବଂର ନିଜ ଗୋଷ୍ଠୀକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରି ନିର୍ବାଚନ ଲଢିବାକୁ ଯୋଜନା କରିଛନ୍ତି ।

ସ୍ବର୍ଣ୍ଣ ମନ୍ଦିରରେ ଟେକିଲେ ମଥା...

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଆଜି ପ୍ରଥମ ଥର ସିଦ୍ଧୁ ଅମୃତସର ସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ମଥା ଟେକିଛନ୍ତି । ଆଉ ସାଙ୍ଗରେ ୬୦ ରୁ ଅଧିକ ବିଧାୟକ, ଦଳୀୟ ନେତା ଥିବା ଦାବି କରିଛନ୍ତି । ଅର୍ଥାତ ସିଦ୍ଧୁ ଏବେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂଙ୍କୁ ଅଣଦେଖା କରି ସଂଗଠନ ସଜାଡିବା ଓ ନୂଆ ଟିମ ଗଠନ କରିବାକୁ ଯାଉଛନ୍ତି ।

ଟଳିନାହିଁ ସଂକଟ...

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସିଦ୍ଧୁଙ୍କୁ ଦଳ ଦାୟିତ୍ବ ଦେଇଥିଲେ ସୁଦ୍ଧା କ୍ୟାପଟେନ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ଏପରିକି ସିଦ୍ଧୁଙ୍କୁ ସୌଜନ୍ୟତା ଦୃଷ୍ଟିରୁ ଶୁଭେଚ୍ଛା ମଧ୍ୟ ଜଣାଇ ନାହାଁନ୍ତି । ଉଭୟ ନେତା ପରସ୍ପର ଯିଦ ରେ ଅଟଳ ଅଛନ୍ତି । ଏପରି ସ୍ଥଳେ ଆଗାମୀ ଦିନରେ ଯେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଏକାଠି, ଗୋଟିଏ ମଞ୍ଚରେ, ଗୋଟିଏ ସ୍ବରରେ ଦଳ ପାଇଁ କାମ କରିବେ ତାହା ସନ୍ଦେହ । ଯାହା ଆଗାମୀ ନିର୍ବାଚନରେ ଦଳ ଉପରେ ପ୍ରଭାବ ପକାଇବାର ଆଶଙ୍କା ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details