ରାଞ୍ଚି:ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଚରମ ଅବହେଳାରୁ ମୂଷା କାମୁଡାରେ ନବଜାତ ଶିଶୁକନ୍ୟା ଗୁରତର । ଏପରି ଏକ ଅଭାବନୀୟ ଘଟଣା ଝାଡଖଣ୍ଡର ଗିରିଡିହ ଜିଲ୍ଲାର ଚୌତାଡିହରେ ସ୍ଥିତ ମାତୃ ଓ ଶିଶୁ ୟୁନିଟରେ ଦେଖିବାକୁ ମିଳିଛି । ମୂଷାଟି ଶିଶୁଟିକୁ କାମୁଡି ଦେବା ପରେ ଶିଶୁର ଅବସ୍ଥା ଗୁରୁତର ହୋଇପଡିବାରୁ ତାକୁ ଗମ୍ଭୀର ଅବସ୍ଥାରେ ଧାନବାଦ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଘଟଣା ପରେ ହସ୍ପିଟାଲ ପରିସରରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଓ କଂଗ୍ରେସ ଅବହେଳା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଜାମୁଆର ଆସ୍କୋ ନିବାସୀ ରାଜେଶ ସିଂଙ୍କ ପତ୍ନୀ ମମତା ଦେବୀ ଶୁକ୍ରବାର ମମତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଜନ୍ମ ପରେ ଶିଶୁଟି ନିଶ୍ବାସ ନେବାରେ ସମସ୍ୟା ଅନୁଭବ କରିବାରୁ ତାକୁ MCH ର ଶିଶୁ ୱାର୍ଡରେ ରଖାଯାଇଥିଲା । ସୋମବାର ସକାଳେ ଶିଶୁ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ଶିଶୁଟି ପୋଲିଓରେ ଆକ୍ରାନ୍ତ ଥିବା ପରିବାର ଲୋକଙ୍କୁ ଅବଗତ କରିବା ସହ ହସ୍ତାନ୍ତର ମଧ୍ୟ କରିଥିଲେ ।
ପରିବାର ସଦସ୍ୟ ଶିଶୁଟିକୁ ଧାନବାଦ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେଠାରେ ଶିଶୁଟି ମୂଷା କାମୁଡାର ଶିକାର ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଏହି ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିଶୁର ପରିବାର ଲୋକ । ତଦନ୍ତ ପରେ ଦାୟୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ