ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ନବଜାତ ଶିଶୁକୁ ତୃତୀୟ ମହଲାରୁ ଫୋପାଡି ଦେଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଏହାସହିତ ଫ୍ଲାଟରେ ରହୁଥିବା ଜଣେ ଯୁବତୀଙ୍କ ସମେତ ପୋଲିସ କିଛି ଲୋକଙ୍କୁ ପଚରାଉଚରା କରୁଛି । ଏହି ଘଟଣାଟି ନ୍ୟୁ ଅଶୋକ ନଗରର ଜୟ ଅମ୍ବେ ଆପାର୍ଟମେଣ୍ଟରେ ଘଟିଛି ।
ସୋମବାର ସକାଳ ପ୍ରାୟ 9ଟା ଆପାର୍ଟମେଣ୍ଟର କିଛି ମହିଳା ଥଣ୍ଡାକୁ ଏଡାଇବା ପାଇଁ ନିଆଁ ପୋଇଁ ହେଉଥିଲେ । ସେହି ସମୟରେ ହଠାତ୍ କିଛି ଖସିଯିବାର ଶବ୍ଦ ଶୁଭିଥିଲା ମହିଳାଙ୍କୁ । ପ୍ରଥମେ ଭାବିଥିଲେ କେହି ଆପାର୍ଟମେଣ୍ଟରୁ ତଳକୁ ଅଳିଆ ଫିଙ୍ଗିଛନ୍ତି । ତେବେ ପରେ ଦେଖିଲେ ଯେ ପଡ଼ିଥିବା ଜିନିଷଟି ହଲଚଲ ହେଉଛି । ପରେ ସେଠାରେ ଥିବା ମହିଳାମାନେ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଯାଇ ଦେଖିଥିଲେ ଏକ ଜରି ଭିତରେ ନବଜାତ ଶିଶୁ ରହିଛି । ତେବେ ଶିଶୁଟି କିପରି ୩ ମହଲା ଉପରୁ ତଳକୁ ଖସିଲା ତାହା କିଛି ବୁଝିବା ଆଗରୁ ହିଁ ତାକୁ ହସ୍ପିଟାଲ ନେଇଯାଇଥିଲେ ।
ବର୍ତ୍ତମାନ ଆପାର୍ଟମେଣ୍ଟରେ ରହୁଥିବା ମହିଳାଙ୍କୁ ପଚରାଉଚରା କରିବା ସହ କିଛି ମହିଳାଙ୍କୁ ଅଟକ ରଖିଛି ପୋଲିସ । ଲୋକଲଜ୍ୟାକୁ ଏଡ଼ାଇବାକୁ ଯାଇ କେହି ଯୁବତୀ ଏଭଳି କାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରିଛି । ତେବେ ତଦନ୍ତ ପରେ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।
ମହିଳାମାନେ ତୁରନ୍ତ ପିଲାଟିକୁ ନେଇ ନୋଏଡାର ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତରମାନେ ଶିଶୁକୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ମୃତ ଶିଶୁକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ ଜୟ ଆମ୍ବେ ଆପାର୍ଟମେଣ୍ଟର ଉପାଧ୍ୟକ୍ଷ କୈଳାସ ବିଷ୍ଟ କହିଛନ୍ତି ଯେ ମୃତଦେହକୁ ଲାଲ ବାହାଦୂର ଶାସ୍ତ୍ରୀ ଡାକ୍ତରଖାନାର ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପିଲାଟିକୁ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ଏକ ଫ୍ଲାଟରୁ ଫିଙ୍ଗି ଦିଆଯାଇଛି। ତେବେ ପୋଲିସ ସେହି ଫ୍ଲାଟରେ ରହୁଥିବା ଲୋକଙ୍କୁ ଗିରଫ କରି ପଚରାଉଚରା କରୁଛି । ତେବେ ଏହି ଘଟଣା କିପରି ଘଟିଲା ଏବଂ କିଏ ଏହି କାର୍ଯ୍ୟ କଲା ବର୍ତ୍ତମାନ ସମୟରେ କିଛି ଜଣା ପଡିନାହିଁ । ଏହି ଘଟଣାରେ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ଯାହା ଜଣାପଡ଼ିବ । ହେଲେ ଏଭଳି ଅମାନବୀୟ ଘଟଣା କିଏ ଘଟାଇଲା ତାହାକୁ ନେଇ ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ