ନୂଆଦିଲ୍ଲୀ:ଆମେରିକାର ନ୍ୟୁୟର୍କରୁ ଆଜି ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ସ୍ବିଡେନର ଷ୍ଟକହୋମରେ ଜରୁରୀ ଅବତରଣ କରିଛି । ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେବାରୁ ବିମାନଟି ଦିଗ ବଦଳାଇ ଦିଲ୍ଲୀ ବଦଳରେ ଷ୍ଟକହୋମରେ ଅବତରଣ କରିଛି । ବିମାନରେ ପ୍ରାୟ ୩୦୦ ଯାତ୍ରୀ ଥିଲେ । ସମସ୍ତ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ତ୍ରୁଟି ଘଟଣାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।
DGCAର ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବୋଇଂ 777-300 ER ବିମାନ ନ୍ୟୁୟର୍କ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ୮ ଜଣ ଶିଶୁଙ୍କ ସମେତ ୨୯୦ରୁ ଅଧିକ ଯାତ୍ରୀ ଥିଲେ । ଯାତ୍ରା ସମୟରେ ମଝି ଆକାଶରେ ବିମାନର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେଉଥିବା ଜଣାପଡିଥିଲା । ଏହା ଜାଣି ପାଇଲଟ ବିମାନର ଦିଗ ବଦଳାଇ ଏହାକୁ ଷ୍ଟକହୋମରେ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବିମାନ ଷ୍ଟକହୋମ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ-ଦେବଘର ବିମାନରେ ବୋମା ଆତଙ୍କ, ଲକ୍ଷ୍ନୌରେ ଜରୁରୀ ଅବତରଣ