ଓଡିଶା

odisha

ETV Bharat / bharat

Umesh Pal Murder: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ CCTV ଭିଡିଓ - ପ୍ରୟାଗରାଜ ପୋଲିସ

ସାମ୍ନାକୁ ଆସିଲା ଉମେଶ ପାଲ ହତ୍ୟାକାଣ୍ଡର ନୂଆ ସିସିଟିଭି ଭିଡିଓ । ଘର ନିକଟରେ କାରରୁ ବାହାରିବା ବେଳେ ଯୋଜନାବଦ୍ଧ ଆକ୍ରମଣ କରି ହତ୍ୟା । ଫୁଟିଲା 14 ରାଉଣ୍ଡ ଗୁଳି ଓ ବୋମା । ଯୋଗୀ କହିଲେ ମାଫିଆଙ୍କୁ ମାଟିରେ ମିଶାଇ ଦେବି । ଅଧିକ ପଢନ୍ତୁ

Umesh Pal murder: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ ସିସିଟିଭି ଭିଡିଓ
Umesh Pal murder: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ ସିସିଟିଭି ଭିଡିଓ

By

Published : Feb 25, 2023, 8:29 PM IST

ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ନୂଆ ସିସିଟିଭି ଭିଡିଓ

ଲକ୍ଷ୍ନୌ: 2005 ମସିହାର ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଓ ତାଙ୍କର ସୁରକ୍ଷାକର୍ମୀଙ୍କୁ ଗତକାଲି (ଶୁକ୍ରବାର) ଗୁଳିକରି ହତ୍ୟା କରାଯିବାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟି ସିସିଟିଭିରେ ରେକର୍ଡ ହୋଇଛି । ଏକାଧିକ ହତ୍ୟାକାରୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରବଳ ଗୁଳିମାଡ ଓ ବୋମା ମଧ୍ୟ ଫିଙ୍ଗିଥିଲେ ହତ୍ୟାକାରୀ । ଏହି ହତ୍ୟାକାଣ୍ଡର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ଏହି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଏକାଧିକ ଟିମ ଗଠନ କରି ଅନେକ ଅପରାଧିକ ଆଡ୍ଡାରେ ଚଢାଉ ଜାରି ରଖିଛି ।

ଭିଡିଓ ଅନୁସାରେ, ଏକ ଧଳା କାରରେ ଉମେଶ ପାଲ ଓ ତାଙ୍କ ସୁରକ୍ଷାକର୍ମୀ ଆସୁଛନ୍ତି । ତାଙ୍କୁ ଏକାଧିକ ଗାଡିରେ ଫଲୋ କରିଆସିଥିଲେ ହତ୍ୟାକାରୀ । ପୂର୍ବ ପ୍ରସ୍ତୁତି ଓ ମାରଣାସ୍ତ୍ର ସହ ଉଭୟ ବାଇକ ଓ ଚାଲି ଚାଲି ହତ୍ୟାକାରୀମାନେ ଉମେଶଙ୍କ ଘର ନିକଟରେ ପହଞ୍ଚିଥିଲେ । ହାତରେ ବନ୍ଧୁକ ଓ ବୋମା ଭର୍ତ୍ତି ବ୍ୟାଗ ମଧ୍ୟ ଥିଲା । ଗାଡି ଅଟକିବା ପରେ ଉମେଶ କାରର ଡୋର ଖୋଲି ବାହାରକୁ ବାହାରିବା ମାତ୍ରେ ତାଙ୍କ ଉପରେ ଅନ୍ଧାଧୁନ୍ ଗୁଳିମାଡ ଆରମ୍ଭ କରିଦେଇଥିଲେ । ତାଙ୍କ ସୁରକ୍ଷାକର୍ମୀ ପୋଲଟା ଗୁଳି ଚଳାଇବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସେଥିରେ ସଫଳ ହୋଇନଥିଲେ । ଗୁଳି ବାଜିବା ପରେ ଆହତ ହୋଇ ଉମେଶ ନିଜ ଘରକୁ ଦୌଡି ପଳାଇ ଜୀବନ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ହତ୍ୟାକାରୀମାନେ ଘର ଭିତରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏଥିରେ ଜଣେ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ପ୍ରୟାଗରାଜ ସହରର ସମ୍ପୂର୍ଣ୍ଣ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡକୁ ରୂପ ଦେଇଥିଲେ ହତ୍ୟାକାରୀ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଆଖପାଖ ଅଞ୍ଚଳରେ ପ୍ରବଳ ବୋମାମାଡ ମଧ୍ୟ କରିଥିଲେ । ପୋଲିସ ସୂଚନା ଅନୁସାରେ ପ୍ରାୟ 14 ରାଉଣ୍ଡ ଫାଏରିଂ ହୋଇଥିଲା । ଏଥିରେ ଉମେଶ ପାଲଙ୍କ ସମେତ ତାଙ୍କର ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ନେଇ ହତ୍ୟାର ଶିକାର ହୋଇଥିବା ଉମେଶଙ୍କ ପତ୍ନୀ ଥାନାରେ ଏତଲା ଦେଇଛନ୍ତି ।

ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅତିକ ଅହମ୍ମଦ, ତାର ପୁଅ ସମେତ ଏକାଧିକ ଗ୍ୟାଙ୍ଗଷ୍ଟାରଙ୍କ ନାମରେ ଏତଲା ହୋଇଛି । ଏପରି ଲୋମର୍ଷଣକାରୀ ହତ୍ୟାକାଣ୍ଡ ପରେ ପୁଣି ଥରେ ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ଓ ମାଫିଆରାଜ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରୟାଗରାଜ ପୋଲିସ କମିଶନର କହିଛନ୍ତି, ହତ୍ୟାକାଣ୍ଡକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି । ପୋଲିସ ତାର ଅଭିଯାନ ଆରମ୍ଭ କରିସାରିଛି । କେହି ବି ହତ୍ୟାକାରୀ ପୋଲିସ ଠାରୁ ରକ୍ଷା ପାଇବେ ନାହିଁ । ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପଟେ ଏହି ମାମଲା ଏବେ ଉତ୍ତର ପ୍ରଦେଶ ରାଜନୀତିକୁ ମଧ୍ୟ ଉଷ୍ମ କରିଛି । ଏହି ପ୍ରସଙ୍ଗ ଆଜି ବିଧାନସଭା ଗୃହରେ ମଧ୍ୟ ଉଠିଛି । ପ୍ରସଙ୍ଗରେ ଉତ୍ତର ରଖି ମାଫିଆରାଜ ଉପରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ରାଜ୍ୟରେ ମାଫିଆରାଜ ପାଇଁ ସିଧାସଳଖ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ଅପରାଧୀଙ୍କୁ ଟିକେଟ ଦେଇ ସପା ହିଁ ସାଂସଦ କରିଛି । ମାଫିଆଙ୍କୁ ଆଶ୍ରୟ ଦେଇ ଅପରାଧକୁ ପ୍ରୋତ୍ସାହିତ କରିଛି । ବର୍ତ୍ତମାନର ସରକାର ଅପରାଧ ଓ ମାଫିଆଗିରି ପ୍ରତି ଶୂନ୍ୟ ସହିଷ୍ଣୁତାର ସହ କାର୍ଯ୍ୟ ଜାରି ରଖିଛନ୍ତି । ସିଧାସଳଖ ମାଫିଆରୁ ରାଜନେତା ହୋଇଥିବା ଅତିକ ଅହମ୍ମଦର ନାଁ ନେଇ ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି । ଅପରାଧ ପ୍ରତି କଠୋର ଆଭିମୁଖ୍ୟ ରଖୁଥିବା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏପରି ବୟାନ ପରେ ଉତ୍ତର ପ୍ରଦେଶ ପୋଲିସ ପୁଣି ଏନକାଉଣ୍ଟର ମୋଡକୁ ଆସିପାରେ ବୋଲି ଚର୍ଚ୍ଚା ହେବା ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details