ଲଣ୍ଡନ: ବ୍ରିଟେନ ମହାରାଜା ଚାର୍ଲ୍ସ-ତୃତୀୟଙ୍କ ଦ୍ବାରା ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ପ୍ରଥମ ଥର ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ (New UK PM Rishi Sunak 1st speech)। ରାଜଧାନୀ ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟରେ ଥିବା ଶାସକ ଦଳ କଞ୍ଜରଭେଟିବ ପାର୍ଟି ମୁଖ୍ୟାଳୟରେ ସୁନକ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧିତ କରିଛନ୍ତି । ଦେଶରେ ଜାରି ରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସେ ତାଙ୍କ ସରକାର ଗଠନ କରିବାକୁ ଯାଉଛନ୍ତି । ଆର୍ଥିକ ସ୍ଥିରତା ଫେରାଇବା ତାଙ୍କ ସରକାରଙ୍କର ପ୍ରଥମ ପ୍ରାଥମିକତା ହେବାକୁ ଯାଉଥିବା ବେଳେ ଏ ଦିଗରେ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି ।
ସୁନକ କହିଛନ୍ତି, ‘‘ଆମ ଦେଶ ବର୍ତ୍ତମାନ ଏକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । କୋଭିଡ ମହାମାରୀର ପ୍ରଭାବ ମଧ୍ୟ ଏବେ ସୁଦ୍ଧା ଶେଷ ହୋଇନି । ସେହିପରି ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟ ବିଶ୍ବ ବଜାର ଉପରେ ପ୍ରଭାବ ପକାଇଛି । ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତି ବିଶ୍ବ ଯୋଗାଣ ଶୃଙ୍ଖଳାକୁ ବିଶେଷ ଭାବେ ପ୍ରଭାବିତ କରିଛି (1st speech of New UK PM Rishi Sunak)।’’
ସେହିପରି ସୁନକ ପୂର୍ବତନ ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଭୁଲି ନାହାଁନ୍ତି । ଦେଶର ଏପରି ସଙ୍କଟ ମଧ୍ୟରେ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ଆର୍ଥିକ ସୁଧାର ନେଇ ପ୍ରୟାସ ମଧ୍ୟ କରିଥିଲେ ବୋଲି ସୁନକ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘‘ମତେ ଆପଣଙ୍କ ପାର୍ଟିର ନେତା ଭାବେ ଚନୟ କରାଗଲା । ମୁଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛି । ବର୍ତ୍ତମାନ ସ୍ଥିତିକୁ ଦେଖି ମୋ ସରକାର ଦେଶରେ ଆର୍ଥିକ ସ୍ଥିରତା ଫେରାଇବା ପାଇଁ ସାମଗ୍ରିକ ଚେଷ୍ଟା କରିବ । ସେଥିପାଇଁ ଖୁବଶୀଘ୍ର କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରିତ ହେବାକୁ ଯାଉଛି । ଆର୍ଥିକ ସ୍ଥିରତା ଓ ଦେଶବାସୀଙ୍କ ବିଶ୍ବାସ ହାତେଇବା ମୋ ସରକାର କର୍ଯ୍ୟପନ୍ଥାର କେନ୍ଦ୍ରରେ ରହିବ ।’’
ସେହିପରି ସେ କୋଭିଡ ସମୟରେ ତାଙ୍କ ଦାୟିତ୍ବ ଓ ସେ ଲିଭାଇଥିବା କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସମ୍ବୋଧନରେ ସ୍ଥାନ ଦେବା ପାଇଁ ଭୁଲିନଥିଲେ । କୋଭିଡ ସମୟରେ ତାଙ୍କ ଦ୍ବାରା ଯାହା ସମ୍ଭବ ତାହା କରିବାରେ କୌଣସି ହେଳା କରିନାହାନ୍ତି ବୋଲି କହିଥିଲେ । ଏବେ ପ୍ରଧାନମନ୍ତ୍ରୀ ହେବା ପରେ ଉତ୍ତର ଦାୟିତ୍ବ ଆହୁରି ବଢିଛି । ସେ ଲୋକଙ୍କୁ କେବଳ ଭାଷାରେ ନୁହେଁ ବରଂ କାର୍ଯ୍ୟରେ ଯୋଡିବେ ବୋଲି ସୁନକ କହିଥିଲେ ।