ନୂଆଦିଲ୍ଲୀ:ଭାରତୀୟ କୁସ୍ତିରେ ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି । ଜୁନିୟର କୁସ୍ତିଯୋଦ୍ଧାମାନେ, ସିନିୟର କୁସ୍ତିଯୋଦ୍ଧାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଭାରତୀୟ କୁସ୍ତିଯୋଦ୍ଧା ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଦୀର୍ଘ ଦିନ ଧରି ଠପ୍ ହୋଇଯାଇଛି କୁସ୍ତି ଯୋଦ୍ଧା ପ୍ରତିଯୋଗିତା । ଏଥିପାଇଁ ପାଖାପାଖି ବର୍ଷେ ହେଲା କୌଣସି ପ୍ରତିଯୋଗିତା ହୋଇନଥିବା ଅଭିଯୋଗ କରିଛନ୍ତି ଜୁନିୟର କୁସ୍ତିଯୋଦ୍ଧା । ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଜୁନିୟର କୁସ୍ତିଯୋଦ୍ଧା । କ୍ୟାରିଅର ଏକ ବର୍ଷ ହରାଇଥିବା ଦର୍ଶାଇ, ଜୁନିୟର ରେସଲରମାନେ, ସିନିୟର ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗାଟଙ୍କ ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି |
ଏହାମଧ୍ୟ ପଢ଼ନ୍ତୁ: କୁସ୍ତି ମହାସଂଘ ନିଲମ୍ବନ ପ୍ରତ୍ୟାହାର ସମ୍ଭାବନା କ୍ଷୀଣ !
୩୦୦ରୁ ଅଧିକ ଜୁନିୟର କୁସ୍ତିଯୋଦ୍ଧା ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦିଲ୍ଲୀ ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି । ଜୁନିଅର କୁସ୍ତିଯୋଦ୍ଧାମାନେ ନରେଲାର ବୀରେନ୍ଦ୍ର ରେସଲିଂ ଏକାଡେମୀରୁ ବସ୍ ଯୋଗେ ଜନ୍ତର ମନ୍ତରରେ ପହଞ୍ଚିବା ପରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଯୁକ୍ତି, କୁସ୍ତି ମହାସଂଘ ବିବାଦ ଯୋଗୁଁ ସେମାନଙ୍କର କ୍ୟାରିୟର ପାଖାପାଖି ଏକବର୍ଷ ଧରି ପ୍ରଭାବିତ ହୋଇଛି । ଆଉ ଏଥିପାଇଁ ସେମାନେ, ସିନିୟର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗାଟଙ୍କୁ ଦାୟୀ କରିଛନ୍ତି । ସିନିୟରଙ୍କ ଆପତ୍ତି ଅଭିଯୋଗ ଯୋଗୁଁ, କୁସ୍ତି ମହାସଂଘ ସଂପୂର୍ଣ୍ଣ ଅକାମୀ ହୋଇଯାଇଥିବା କହିଛନ୍ତି ଜୁନିୟର କୁସ୍ତିଯୋଦ୍ଧା ।
ଏହାମଧ୍ୟ ପଢ଼ନ୍ତୁ: ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ; ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ପଦ ରବ୍ଦ