ଭୁବନେଶ୍ବର:ସବୁଜ ପୃଥିବୀର ଗଠନ ଦିଗରେ ଏକ ପ୍ରୟାସ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ସେ ରାଜ୍ୟ ହେଉ ଅବା ଦେଶ, ସବୁଠାରେ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ଲାଗିଛି। କାହିଁକି ନା ବଡ଼ ବଡ଼ କମ୍ପାନୀ, ଅନେକ ପ୍ରୋଜେକ୍ଟ ନିର୍ମାଣ ପାଇଁ ଗଛ କାଟୁଛନ୍ତି । ତେବେ ସୁସ୍ଥ ସମାଜ ଗଠନ ପାଇଁ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଜଙ୍ଗଲ କ୍ଷୟରୁ ରୋକିବା ଲାଗି ପ୍ରୟାସ କରିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ସିଡ୍ ବଲ୍ ବା ମଞ୍ଜିଗୋଳା, ଏହା ମାଧ୍ୟମରେ କରାଯାଉଛି ବୃକ୍ଷରୋପଣ ।
ସିଡବଲ ଏକ ସହଜ ଉପାୟ । ଏହି ପ୍ରକ୍ରିୟା ଆପଣେଇବା ଦ୍ବାରା ନାଁ ଗଛ ପୋତିବା ପାଇଁ ମାଟି ଖୋଳିବାକୁ ପଡିବ ନାଁ ପାଣି ଦେବାକୁ ପଡିବ । ଏହି ବଲକୁ ଫିଙ୍ଗିବା ଦ୍ବାରା ଆପେଆପେ ଗଛ ଉଠିବ । ଏହାଛଡା ବର୍ଷା ଦିନେ ସିଡବଲ ଗଛରେ ପରିଣତ ହେବା ପାଇଁ ବେଶି ଦିନ ସମୟ ନେଇନଥାଏ । ସେଥିପାଇଁ ବର୍ଷା ଋତୁ ସିଡବଲ ପାଇଁ ଏକ ଅନୁକୂଳ ପରିବେଶ ।
ପରିବେଶ ବଞ୍ଚାଇବା ପାଇଁ ଉଭୟ ସରକାରୀ ଓ ଘରୋଇ ଦିଗରେ ଜାରି ରହିଛି ପ୍ରୟାସ । ଆଧୁନିକତାର ଛାପ ଯେତେ ଅଧିକ ହେଉଛି ସେହି ଅନୁସାରେ ସମାଜରୁ ଗଛ ସଂଖ୍ୟା ଧୀରେ ଧୀରେ କମିବାର ଲାଗିଛି । ଗଛ ହସିଲେ ଜୀବନ ହସିବ ଏହି ବାର୍ତ୍ତା ନେଇ ଗଛ ସଂଖ୍ୟା କିଭଳି ବଢ଼ିବ ଏହାର ପ୍ରୟାସରେ ଲାଗିଛନ୍ତି ଯୁବ ପରିବେଶବିତ । ଏନେଇ କୁନି କୁନି ଛାତ୍ରଛାତ୍ରୀ ମାନେ ସିଡ୍ ବଲ୍ ନିର୍ମାଣ ଶିଖିବା ସହ ତାହାକୁ ସ୍କୁଲ ଅଗଣା, ଖେଳ ପଡିଆ ନିକଟରେ ଏବଂ ଗ୍ରାମ୍ୟ ଜଙ୍ଗଲ ସ୍ଥାନରେ ପକାଇଛନ୍ତି ।