ନୂଆଦିଲ୍ଲୀ:କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିବା ଅନ୍ତର୍ଜାତୀୟ କଟକଣାରେ ସଂଶୋଧନ ଆଣିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ବିଦେଶାଗତ ଯାତ୍ରୀ ବିଦେଶରୁ ଆସିଲେ ଏଣିକି ଆଉ RT-PCR ଟେଷ୍ଟିଂ କିମ୍ବା ଏକ ସପ୍ତାହ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବା ଆବଶ୍ୟକ ନୁହେଁ । ଆଜି (ଗୁରୁବାର) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସଂଶୋଧିତ କୋଭିଡ ନିର୍ଦ୍ଦେଶାବଳୀ ଜାରି କରିଛି । ସେହିପରି ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ସଂକ୍ରମଣ ନେଇ ବିପଦପୂର୍ଣ୍ଣ ଦେଶମାନଙ୍କ ତାଲିକାକୁ ମଧ୍ୟ ହଟାଇ ଦିଆଯାଇଛି ।
ପୂର୍ବରୁ ବିଦେଶାଗତ ଯାତ୍ରୀଙ୍କୁ ବିମାନବନ୍ଦରରେ ଅବତରଣ ପରେ କୋଭିଡ ପରୀକ୍ଷା ପାଇଁ ନିଜ ସ୍ବାବ ନମୁନା ପଠାଇ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ସେହିପରି ରିପୋର୍ଟ ପଜିଟିଭ଼ ଆସିଲେ ୭ଦିନ ସରକାରୀ ନିରୀକ୍ଷଣ ସହ ଗୃହ ସଙ୍ଗରୋଧରେ ମଧ୍ୟ ରହିବା ବାଧ୍ୟତାମୂଳକ ଥିଲା । ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।