ନୂଆଦିଲ୍ଲୀ:ଆଜି ଭାରତକୁ ମିଳିବ ଏକ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ସଂସଦ ଭବନ । ପୂଜାର୍ଚ୍ଚନା ସହ ନୂତନ ସଂସଦର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ସକାଳ ସାଢେ ୭ଟାରୁ ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆଜି ସକାଳ ସାଢେ ୫ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନୂଆ ଦିଲ୍ଲୀ ଜିଲ୍ଲାର ସମସ୍ତ ମାର୍ଗକୁ ଜନସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି । କେବଳ ସାଧାରଣ ପରିବହନ, ପ୍ରଶାସନିକ ସେବା ପରୀକ୍ଷାର୍ଥୀ, ସ୍ଥାନୀୟ ବାସିନ୍ଦା ଏବଂ ଜରୁରୀକାଳୀନ ଯାନବାହନ ଯାତାୟତ ପାଇଁ ଅନୁମତି ମିଳିଛି ।
ଆଜି ରାଜଧାନୀରେ ସମସ୍ତ ପ୍ରକାର ବିକ୍ଷୋଭକୁ ବାରଣ କରାଯାଇଛି । ସଂସଦ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖାପ୍ ପଞ୍ଚାୟତ ନେତାମାନେ ଆଜି ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ରେସଲରମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବାକୁ ଥିବାବେଳେ ଦିଲ୍ଲୀ ପୋଲିସ ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛି । ଖାପ୍ ପଞ୍ଚାୟତ ଆୟୋଜନ ପାଇଁ ଅନୁମତି ଦିଆଯାଇନାହିଁ । କଡା ସୁରକ୍ଷା ସୁନିଶ୍ଚିତ କରିବାକୁ ୧୦ରୁ ଅଧିକ ମହିଳା କମ୍ପାନୀ ସମେତ ୨୦ଟି କମ୍ପାନୀ ନୂଆ ଦିଲ୍ଲୀ ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ଆଜି ସଂସଦ ନିକଟସ୍ଥ ସମସ୍ତ ମେଟ୍ରୋ ଷ୍ଟେସନ ବନ୍ଦ ରଖିବାକୁ ଦିଲ୍ଲୀ ମେଟ୍ରୋକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ମହିଳା ଖାପ୍ ପଞ୍ଚାୟତର ସମାର୍ଥନ ପାଇଁ ଉତ୍ତରପ୍ରଦେଶ ଓ ହରିୟାଣାର ଚାଷୀମାନେ ଦିଲ୍ଲୀ ଆସିବାର ସମ୍ଭାବନା ପୋଲିସ ପାଇଁ ବଡ ଚିନ୍ତାର ବିଷୟ ହୋଇଛି ।