ନୂଆଦିଲ୍ଲୀ:ଦଶମ ଶ୍ରେଣୀ ପାଠ୍ୟକ୍ରମରେ ବଡ ସଂଶୋଧନ କରିଛି ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT) । ଏବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପିରିଓଡିକ ଟେବୁଲ, ଗଣତନ୍ତ୍ର ଓ ବିବର୍ତ୍ତନ ତତ୍ବ ଆଦି ବିଷୟ ସମ୍ପର୍କରେ ଅଧ୍ୟୟନ କରିବେ ନାହିଁ । NCERT ପ୍ରସ୍ତୁତ ପୁସ୍ତକ ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଧ୍ୟୟନ କରାଯାଉଛି । ଗ୍ରହଣ କରାଯାଇଥିବା ଏହି ସଂଶୋଧନ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଚାପ ହ୍ରାସ କରିବ ବୋଲି ପରିଷଦ ଆଶାବ୍ୟକ୍ତ କରିଛି ।
NCERT ଏହା ପୂର୍ବରୁ ବିବର୍ତ୍ତନ ତତ୍ତ୍ୱକୁ ବାଦ ଦେଇଥିଲା । ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା । କିଛି ଶିକ୍ଷାବିତ ଏହାର ଗୁରୁତ୍ବକୁ ଦର୍ଶାଇବା ସହ ଏହାକୁ ବାଦ ଦେବା ଅନୁଚିତ ବୋଲି କହିଥିଲେ । ଏବେ ପୁଣି 10ମ ଶ୍ରେଣୀ ପାଠ୍ୟକ୍ରମରେ ଏହି ପିରିଓଡିକ ଟେବୁଲ, ଗଣତନ୍ତ୍ର ବିଷୟକୁ ବାଦ ଦେଇଛି ପରିଷଦ । ଏହା ବ୍ୟତୀତ ଦଶମ ଶ୍ରେଣୀ ବିଜ୍ଞାନରେ ପଢାଯାଉଥିବା ପରିବେଶ ସ୍ଥିରତା, ଶକ୍ତି ସ୍ରୋତ ଆଦି ବିଷୟ ମଧ୍ୟ ଅଧ୍ୟୟନରୁ ବାଦ ପଡିଛି । ଗଣତନ୍ତ୍ର ବିଷୟରେ ଥିବା ‘ଗଣତନ୍ତ୍ର ଓ ଏହାର ଆହ୍ବାନ’ ଓ ‘ରାଜନୈତିକ ଦଳୀୟ ବ୍ୟବସ୍ଥା’ ଆଦି ବିଷୟ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପଢିବେ ନାହିଁ । ଅନାବଶ୍ୟକ ଭାବେ ବୃହତ ପାଠ୍ୟକ୍ରମକୁ ସଂକ୍ଷିପ୍ତୀକରଣ କରି ଗୁଣାତ୍ମକ ପାଠ୍ୟକ୍ରମକୁ ବିକଶିତ କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ସିଲାବସର ଚାପ ହ୍ରାସ କରିବା ପାଇଁ ପରିଷଦ ବିଚାର ବିମର୍ଶ ଜାରି ରଖିଛି ।