ନୂଆଦିଲ୍ଲୀ:ମହାରାଷ୍ଟ୍ରରେ ଜାରି ରହିଥିବା ମହାଡ୍ରାମା ମଧ୍ୟରେ ରାଜନୈତିକ ବୟାନବାଜୀ ମଧ୍ୟ ଜାରି ରହିଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓଲେ ମଧ୍ୟ ଏକ ଭିନ୍ନ ସଙ୍କେତ ସହ ସାମ୍ନାକୁ ଆସିଛନ୍ତି । ମହାରାଷ୍ଟ୍ରରେ କୌଣସି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହୋଇପାରେ ବୋଲି ସଙ୍କେତ ଦେଇଛନ୍ତି ଅଠାଓଲେ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ ସେ ଏପରି ମନ୍ତବ୍ୟ ରଖିଛନ୍ତି ।
ତେବେ ପୂର୍ବରୁ ମଧ୍ୟ ଶିବସେନା ଏହି ବିଦ୍ରୋହକୁ ବିଜେପିର ଷଡଯନ୍ତ୍ର ତଥା ‘ଅପରେସନ ଲୋଟସ’ ବୋଲି କହିଆସୁଛି । ଶିବସେନା ନେତୃତ୍ବାଧୀନ ସରକାର ଭାଙ୍ଗିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରୁଥିବା ଶିବସେନା ଓ ଅନ୍ୟ ସହଯୋଗୀ ଦଳ ମଧ୍ୟ ଅଭିଯୋଗ କରି ଆସୁଛନ୍ତି । ଏହାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯିବା ଘଟଣାରେ ଦଳ ନିରବ ରହିଛି । କିନ୍ତୁ ବିଦ୍ରୋହୀ ବିଧାୟକମାନେ ପ୍ରଥମେ ବିଜେପି ଶାସିତ ରାଜ୍ୟ ଗୁଜୁରାଟ ଓ ପରେ ଆସାମ ଗସ୍ତ କରିବା,ସେଠାରେ ବିଜେପି ନେତା ସେମାନଙ୍କୁ ସାକ୍ଷାତ କରିବା, ବିଜେପିର ଭୂମିକା ନେଇ ଉଠିଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଥିଲା ।