ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନ ଶେଷରେ ନ୍ୟାୟିକ ପ୍ରକ୍ରିୟାରେ ସଂଶୋଧନ ପାଇଁ 3ଟି ସଂଶୋଧିତ ବିଲ ଆଗତ କରିଛନ୍ତି । ଏହା ମଧ୍ୟରେ ରହିଛି, ଭାରତୀୟ ନ୍ୟାୟ ସଂହିତା ବିଲ-2023 । ଯେଉଁଥିରେ ଆତଙ୍କବାଦ ଓ ଭିଡ ହିଂସାକୁ ଭିନ୍ନ ଭିନ୍ନ ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି । ଆତଙ୍କତବାଦ ସମ୍ପର୍କିତ ମାମଲାରେ ବିଚାର ପ୍ରକ୍ରିୟା ପାଇଁ ଭିନ୍ନ ନିୟମ ରହିବା ସହ ଭିଡହିଂସା ବା ଜାତି ସମ୍ପ୍ରଦାୟ, ଧାର୍ମିକ ବିଶ୍ବାସ, ଭାଷା, ଜନ୍ମସ୍ଥାନ ଓ ଲିଙ୍ଗଗତ ଆଧାରରେ ସଂଗଠିତ ହେଉଥିବା ହିଂସା, ହତ୍ୟାକାଣ୍ଡ ଆଦିକୁ ଆତଙ୍କବାଦଠାରୁ ଭିନ୍ନ ବର୍ଗୀକରଣ କରାଯାଇଛି ।
ନୂତନ ବିଲରେ ଆତଙ୍କବାଦକୁ ବ୍ୟାଖ୍ୟା କରାଯାଇଛି ଯେ, ଭାରତର ଏକତା, ଅଖଣ୍ଡତା ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା, ସାଧାରଣ ଜନତାଙ୍କୁ ଭୟଭୀତ କରିବା କିମ୍ବା ଧମକ ଦେବା ଉଦ୍ଦେଶ୍ୟରେ ଯେକୌଣସି ବ୍ୟକ୍ତି ଭାରତରେ କିମ୍ବା ବିଦେଶରେ କାର୍ଯ୍ୟ କରନ୍ତି ତାଙ୍କୁ ଆତଙ୍କବାଦୀ ଭାବେ ବିଚାର କରାଯିବ । ସେହିପରି ବୋମା, ଡାଇନାମାଇଟ୍, ଅନ୍ୟ କୌଣସି ବିସ୍ଫୋରକ ପଦାର୍ଥ, ଜ୍ୱଳନ୍ତ ସାମଗ୍ରୀ, ଅସ୍ତ୍ରଶସ୍ତ୍ର, ଅନ୍ୟାନ୍ୟ ମାରାତ୍ମକ ଅସ୍ତ୍ର, ବିଷାକ୍ତ ଗ୍ୟାସ୍ କିମ୍ବା ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରି ପବ୍ଲିକ ଅର୍ଡରକୁ ବ୍ୟାଘାତ ସୃଷ୍ଟି କଲେ ଏହାକୁ ଆତଙ୍କବାଦ କାର୍ଯ୍ୟକଳାପ ଭାବେ ବିବେଚନା କରାଯିବ । ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବିଚାର ପ୍ରକ୍ରିୟାରେ ପାରୋଲର ସୁବିଧା ରହିବ ନାହିଁ । ସେହିପରି ମୃତ୍ୟୁ ଦଣ୍ଡାଦେଶ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ସହ ଦଶ ଲକ୍ଷ ଟଙ୍କାରୁ କମ୍ ଫାଇନର ବ୍ୟବସ୍ଥା ହେବ ନାହିଁ ବୋଲି ନୂଆ ବିଲ୍ ରେ ନିୟମ ରହିବ ।