ହାଇଦ୍ରାବାଦ: ଯେ କୌଣସି ସହର, ରାଜ୍ୟ କିମ୍ବା ଦେଶ ପାଇଁ ସଡ଼କ ହେଉଛି ଜୀବନରେଖା। ରାସ୍ତାଘାଟ ହେଉଛି ବିକାଶର ପ୍ରଥମ ମାପକାଠି। ରାସ୍ତାଘାଟ ଜରିଆରେ ହିଁ ସରକାର ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନ କମାନ୍ତି ଏବଂ ଲୋକେ ଏହାଦ୍ବାରା ଦୈନିକ ଆବଶ୍ୟକତା ପୂରଣ କରିବା ସହ ନାନାଦି ସୁବିଧା ପାଇଥାନ୍ତି । ଯାହା ଫଳରେ ରାଜନେତାମାନେ ସେମାନଙ୍କ ନିର୍ବାଚନ ପ୍ରତିଶ୍ରୁତି ବେଳେ ଭଲ ରାସ୍ତା ନିର୍ମାଣ କଥା କହିଥାନ୍ତି ।
କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ମୋଟ 62 ଲକ୍ଷ 15 ହଜାର 797 କିମି ରାସ୍ତା ରହିଛି । ଏହା ମଧ୍ୟରୁ 1 ଲକ୍ଷ 36 ହଜାର କିମି ହେଉଛି ଜାତୀୟ ରାଜପଥ । ଦେଶରେ ଜାତୀୟ ରାଜପଥ ହେଉଛି ମୋଟ ରାସ୍ତାର ମାତ୍ର 2.19 ପ୍ରତିଶତ । କିନ୍ତୁ ଜାତୀୟ ରାଜପଥ ହିଁ ମୋଟ ଟ୍ରାଫିକର ବୋଝ ନେଇଥାଏ । ମାର୍ଚ୍ଚ 24ରେ ଜାତୀୟ ସଡ଼କ ଏବଂ ଜାତୀୟ ରାଜପଥ ବୈଠକ 2021 ଆୟୋଜନ କରାଯାଉଛି । ଏହି ଭର୍ଚୁଆଲ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଜାତୀୟ ରାଜପଥ ସଂପ୍ରସାରଣ ଏବଂ ଦେଶରେ ରାସ୍ତାଘାଟର ମାନ ଉପରେ ବି ଆଲୋଚନା ହେବ।
ବର୍ଷକୁ ବର୍ଷ ବଢିବାରେ ଲାଗିଛି ନିର୍ମାଣ ସ୍ଥାନ
ଆମେ ଯଦି ଗତ ଏକ ଦଶନ୍ଧିର ପରିସଂଖ୍ୟନକୁ ଦେଖିବା, ସଡ଼କ ନିର୍ମାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଫଳରେ ଟେଣ୍ଡର ପ୍ରକ୍ରିୟାଠାରୁ ଆରମ୍ଭ କରି ସଡ଼କ ନିର୍ମାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଶବ୍ୟାପୀ ସଡ଼କ ନେଟୱର୍କ ବଢିବାରେ ଲାଗିଛି ।
ଚଳିତ ବର୍ଷ ଏବଂ ଆଗାମ ଆର୍ଥିକ ବର୍ଷଗୁଡିକ ପାଇଁ ସଡକ ନିର୍ମାଣର ଠିକା ଦେବା ସଂଖ୍ୟା ବଢିଚାଲିଛି । ପୂର୍ବ ବର୍ଷ ଗୁଡ଼ିକରେ ମିଳିଥିବା ଭଲ ଫଳାଫଳରେ ଉତ୍ସାହିତ ସରକାର ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ଅଧିକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । 2021-22 ବର୍ଷ ପାଇଁ ସରକାର 12 ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ଯାହାକି ନିଶ୍ଚିତ ଭାବେ ଉଲ୍ଲେଖନୀୟ ।