ଭୁବନେଶ୍ବର: ଲାଲଗଡରେ ହିଂସାର ରାଜୁତି । ଲାଲ ସଲାମର ଦ୍ବାହି ଦେଇ ମାଓବାଦୀ ଖେଳୁଛନ୍ତି ରକ୍ତର ହୋଲି । ଘଞ୍ଚ ଜଙ୍ଗଲ ଭିତରେ ଆଖିବୁଜା ଗୁଳାଚାଳନା, ବୋମା ବର୍ଷଣ କରି ଗଡାଉଛନ୍ତି ଗୋଟିଏ ପରେ ଗୋଟିଏ ଯବାନଙ୍କ ମୁଣ୍ଡ । ଆଉ ସୁଯୋଗ୍ୟ ସନ୍ତାନଙ୍କୁ ହରାଇ ଦେଶ ସହୁଛି ଅପୂରଣୀୟ କ୍ଷତି । ନିକଟରେ ଘଟିଥିବା ଛତିଶଗଡ ବିଜାପୁର ନକ୍ସଲ ନାରକୀୟ କାଣ୍ଡ ଏବେ ବି ଲିଭିନି ମନରୁ...
ଶନିବାର ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଅନ୍ଧାଧୁନ ଗୁଳି ବିନିମୟରେ ଭିଜିଥିଲା ସିଲଗେର ଜଙ୍ଗଲ । ନକ୍ସଲଙ୍କ ଅଚାନକ ହମଲାରେ ଶହୀଦ ହୋଇଛନ୍ତି 22 ଯବାନ । ଆଉ ଏହି ଛାତିଥରା ଘଟଣା ପଛର କାରଣ ହେଉଛି ନକ୍ସଲଙ୍କ କୁଟୀଳତା । ଯାହା ଫଳରେ ମାଓ ସଙ୍ଗଠନ ବିଛାଥିବା ମୃତ୍ୟୁର ମାୟାଜାଲରେ ଫସୁଛନ୍ତି ସୁରକ୍ଷା ବାହିନୀ । ତେବେ ଏଭଳି ନକ୍ସଲ ଆକ୍ରମଣ ନୂଆ ନୁହେଁ .. ଛତିଶଗଡର ସୁକମା, ବିଜାପୁର ଓ ବସ୍ତର ଅଞ୍ଚଳ ମାଓ ଆକ୍ରମଣ ଇତିହାସରେ ଅଭିଶପ୍ତ ଫର୍ଦ୍ଦ ।
ସୁକମା ହେଉ କି ତାଡମେଟଲା, ଅନେକ ବଡ ବଡ ନକ୍ସଲ ଆକ୍ରମଣର ସାକ୍ଷୀ ରହିଛି ଛତିଶଗଡର ଉପାନ୍ତ ଅଞ୍ଚଳ । ଲାଲଗଡ ଭାବେ ବେଶ ପରିଚିତ ଏହିସବୁ ଜିଲ୍ଲା । ତେବେ ଏଭିଳିସ୍ଥିତିରେ ପ୍ରଶ୍ନ ଉଠେ ମାଓ ମୁକାବିଲା କ୍ଷେତ୍ରରେ କେଉଁଠି ରହୁଛି ତ୍ରୃଟି ? ମାଓଦମନ କ୍ଷେତ୍ରରେ ଫେଲ ମାରୁଛି କି ଛତିଶଗଡ ସରକାରଙ୍କ ରଣନୀତି ? ଏପଟେ ଯଦି ଓଡିଶା କଥା କହିବା ତେବେ ମାଓ ମୁକାବିଲା କ୍ଷେତ୍ରରେ ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ସଫଳତା ହାସଲ କରିଛି ଆମ ରାଜ୍ୟ ।
ବିଜାପୁରରେ ନକ୍ସଲଙ୍କ ରକ୍ତ ସଂଘର୍ଷରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ କାଉଣ୍ଟର ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ମାଷ୍ଟର ପ୍ଲାନ । ଏପରିକି ନିଖୋଜ ଯବାନ ନକ୍ସଲଙ୍କ କବଜାରେ ଥିବା ଘଟଣା ସାମ୍ନାକୁ ଆସିବା ପରେ ଅପରେସନ୍ ଲଞ୍ଚ ନେଇ ଚାଲିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତି । ଆଉ ଛାତିଥରା ବିଜାପୁର ନକ୍ସଲ ଆକ୍ରମଣର ପରେ ବଡ ଅପରେସନ୍ ନେଇ ଚାଲିଛି ଆକ୍ସନ ପ୍ଲାନ । ତେବେ ଏହି ଘଟଣା ପରେ ଅଧିକ ସତର୍କ ହୋଇପଡିଛି ଓଡିଶା । ଛତିଶଗଡ ସୀମାବର୍ତ୍ତୀ 5ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୋଲିସ । ଏପରିକି ଡିଜିପି ସୀମାବର୍ତ୍ତୀ ଜିଲ୍ଲାକୁ ଯାଇ ମାଓ ମୁକାବିଲା ଏବଂ ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ତେବେ କାହିଁକି ଲାଲଗଡରେ ବଢୁଛି ହିଂସା ?
ବର୍ଷ... 2020ର କେନ୍ଦ୍ର ଗୃହମନ୍ତ୍ରଣାଳୟ ରିପୋର୍ଟ ଉପରେ ପକାନ୍ତୁ ନଜର । ଦେଶର 11ଟି ରାଜ୍ୟରେ ରହିଛି 90ଟି ମାଓପ୍ରବଣ ଜିଲ୍ଲା । ଏଥିରେ ଝାଡଖଣ୍ଡର 19, ବିହାରର, ଓଡିଶାର 15, ଛତିଶଗଡର 14, ତେଲେଙ୍ଗାନାର 8, ଆନ୍ଧ୍ରପ୍ରଦେଶର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ କେରଳର ତିନୋଟି ଜିଲ୍ଲା ଏବଂ ପଶ୍ଚିମବଙ୍ଗର ଗୋଟିଏ ଜିଲ୍ଲା ଅନ୍ତର୍ଭୁକ୍ତ । ଛତିଶଗଡର ବାଲୋଦ, ବଳରାମପୁର, ବସ୍ତର, ବିଜାପୁର, ଦାନ୍ତେୱ୍ବାଡା ଧାମତାରି, ଗରିୟାବନ୍ଦ, କାଙ୍କେର, କୋନ୍ଦାଗାଁ, ମହାସମୁନ୍ଦ, ନାରାୟଣପୁର, ରାଜନନ୍ଦଗାଁ, ସୁକମା ଓ କବିରଧାମ ଆଦି ମାଓପ୍ରବଣ ଅଞ୍ଚଳ ଲାଲଗଡ ଅଧିନରେ ଆସୁଛି ।
ମାଓ ସମସ୍ୟାକୁ ନେଇ ଦେଶର ଅନେକ ରାଜ୍ୟ ପ୍ରଭାବିତ । ଆଉ ଏହି ସବୁ ରାଜ୍ୟଗୁଡିକ ନିଜନିଜ ସ୍ତରରେ ମାଓ ମୁକାବିଲା ପାଇଁ ଚଳାଇଛନ୍ତି ପ୍ରୟାସ । ଆମ ରାଜ୍ୟ ଓଡିଶାର ଏକ ବୃହତ ଭୂଭାଗ ମାଓ ପ୍ରଭାବିତ ଅଞ୍ଚଳ ଅଧିନରେ ଆସୁଛି । ରାଜ୍ୟର ଅନୁଗୋଳ, ବରଗଡ, ବୌଦ୍ଧ, ଦେବଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ମାଓପ୍ରବଣ ଭାବରେ ଜଣାଶୁଣା । ସଠିକ ରଣନୀତି ଯୋଗୁଁ ଓଡିଶାରେ ମାଓବାଦୀମାନେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଯେପରୀ କୋରାପୁଟ, ମାଲକାନଗିରି, ନବଙ୍ଗପୁରରେ ଆଦିରେ ସୀମିତ ରହିଯାଇଛନ୍ତି । ଆଉ ପଶ୍ଚିମ ଓଡିଶା ମାଓବାଦୀଙ୍କର କୌଣସି ଚିହ୍ନବର୍ଣ୍ଣ ନଥିବା କହିଲେ ଚଳେ ।
ବିଜାପୁର ନକ୍ସଲ ଆକ୍ରମଣ ପରେ ଛତିଶଗଡ ନିଜ ଛାତିରୁ ଭୟକୁ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ଓଡିଶା ନିଜ ସୀମାରେ ବଢାଇ ଦେଇଛି ସୁରକ୍ଷା । ପଡୋଶୀ ରାଜ୍ୟରୁ ଲାଲ ଆତଙ୍କ ଆଶଙ୍କା କରି ଓଡିଶା ପୋଲିସ ପାଞ୍ଚଟି ଜିଲ୍ଲାର ସୀମା ଉପରେ ସତର୍କତାର ସହ ରଖିଛି କଡା ନଜର ।
ତେବେ ଯଦି ମାଓବାଦୀ ଓଡିଶା ମଧ୍ୟକୁ ପ୍ରବେଶ ନେଇ ଚେଷ୍ଟା କରନ୍ତି, ଅବଶ୍ୟ ଓଡିଶା ନିଶ୍ଚିତଭାବରେ ଗୋଲ୍ଡ ଷ୍ଟାଣ୍ଡାର୍ଡ ରଣନୈତିକ କୌଶଳକୁ ଅବଲମ୍ବନ କରିବ ଯାହା ଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟ ଦେଇଛି ବଡ ସଫଳତା । ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସର ସଫଳତା ପଛରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହାର ସ୍ପଷ୍ଟ ରଣନୀତି, ସୁଦୃଢ ଗୁଇନ୍ଦା ବ୍ୟବସ୍ଥା ଏବଂ ଗ୍ରାଉଣ୍ଡ ଅପରେସନ ।
1990ରୁ 2000 ମଧ୍ୟରେ ମାଓ ଆକ୍ରମଣରେ ବଡ କ୍ଷତି ସହିବା ପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାରେ ଆରମ୍ଭ ହୋଇଥିଲା ଆଣ୍ଟି-ନକ୍ସଲ ଫୋର୍ସ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) । ବାସ୍ତବରେ ମାଓବାଦୀଙ୍କ ବିରୋଧରେ ଓଡିଶାର ଲଢେଇ 2008ରେ ସର୍ବନିମ୍ନ ଥିଲା । ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଥିବା 36 ଯବାନଙ୍କୁ ଆକ୍ରମଣ, ପରେ ନୟାଗଡ଼ରେ 13 ଜଣ ପୋଲିସକର୍ମୀଙ୍କ ହତ୍ୟାକାଣ୍ଡ ଆଉ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାରେ ମାଓବାଦୀଙ୍କ ସମ୍ପୃକ୍ତି ରାଜ୍ୟକୁ ସେତେବେଳେ ଦୋହଲାଇ ଦେଇଥିଲା ।