ନୂଆଦିଲ୍ଲୀ: କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅତି ଭୟଙ୍କର ଭାବେ ବଢ଼ି ବଢ଼ି ଚାଲିଛି । ଯାହା କାରଣରୁ ଚଳିତ ବର୍ଷ NEET-PG ପରୀକ୍ଷାକୁ ଚାରି ମାସ ଘୁଞ୍ଚାଇ ଦିଆଯାଇଛି । ଏନେଇ ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହାସହ କୋରୋନା ମହାମାରୀ ସହ ଯୁଦ୍ଧ କରୁଥିବା ଯେଉଁ କର୍ମଚାରୀ 100 ଦିନ ପୁରା କରି ସାରିଛନ୍ତି ସେମାନଙ୍କୁ ନିୟମିତ ନିଯୁକ୍ତି ସମୟରେ ପ୍ରାଥମିକତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ଅଗଷ୍ଟ 31, 2021 ପୂର୍ବରୁ ନିଟ- ସ୍ନାତକୋତ୍ତର ପରୀକ୍ଷା ହେବ ନାହିଁ । ଏହାସହ କୋଭିଡ଼ ସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ନିଜ ବିଭାଗର ଦେଖାରେଖା କରିବା ପାଇଁ ମେଡ଼ିକାଲ ଇଣ୍ଟର୍ନ କୋଭିଡ ପରିଚାଳନା କର୍ତ୍ତବ୍ୟରେ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ହୋଇଛି ।