ଓଡିଶା

odisha

ETV Bharat / bharat

ଚାପ ନା ରାଜନୈତିକ ଗୋଟି ! ନିଷ୍ପତ୍ତି ବଦଳାଇ ପାରନ୍ତି ପାଓ୍ବାର, ନେବେ 2 ରୁ 3 ଦିନ ସମୟ

ଏନସିପି ପ୍ରତିଷ୍ଠାତା ସଭାପତି ଶରଦ ପାଓ୍ବରଙ୍କ ଅଚାନକ ଇସ୍ତଫାକୁ ନେଇ ଚର୍ଚ୍ଚା । 2 ରୁ3 ଦିନ ସମୟ ନେଇ ଇସ୍ତଫା ସମ୍ପର୍କରେ ପୁନଃସମୀକ୍ଷା କରିବେ ଶରଦ । ଅଧିକ ପଢନ୍ତୁ

By

Published : May 2, 2023, 10:42 PM IST

ଚାପ ନା ରାଜନୈତିକ ଗୋଟି ! ନିଷ୍ପତ୍ତି ବଦଳାଇ ପାରନ୍ତି ପାଓ୍ବାର
ଚାପ ନା ରାଜନୈତିକ ଗୋଟି ! ନିଷ୍ପତ୍ତି ବଦଳାଇ ପାରନ୍ତି ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ର ଓ ଜାତୀୟ ରାଜନୀତିରେ ଲମ୍ବା ଇନ୍ସିଂ ଖେଳିଥିବା ବରିଷ୍ଠ ରାଜନେତା ତଥା ଏନସିପି ପ୍ରତିଷ୍ଠାତା ସଭାପତି ଶରଦ ପାଓ୍ବରଙ୍କ ଅଚାନକ ଇସ୍ତଫାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । କିଛି ଦିନ ହେବ ପୁତୁରା ଅଜିତ ପାଓ୍ବାରଙ୍କ ନିଜ ସମର୍ଥିତ ବିଧାୟକଙ୍କ ସହ ବିଜେପିରେ ସାମିଲ ହେବା କଳ୍ପନା ଜଳ୍ପନା ମଧ୍ୟରେ ଆଜି ପୂର୍ବାହ୍ନରେ ହଠାତ ଇସ୍ତଫା ଘୋଷଣା କରିଥିଲେ ଶରଦ ପାଓ୍ବର ।

ତେବେ ରାଜନୀତିରେ ବେଶ ଅପ୍ରତ୍ୟାଶିତ ଗୋଟି ଚଳାଇଥିବା ଶରଦଙ୍କର ଏହା ବର୍ତ୍ତମାନ ସ୍ଥିତିରେ ଏକ ରାଜନୈତିକ ଗୋଟି ନୁହେଁ ତ ! ଏପ୍ରକାର ଚର୍ଚ୍ଚା ମଧ୍ୟ ରାଜନୈତିକ ସମୀକ୍ଷକମାନେ ଆରମ୍ଭ କରି ସାରିଲେଣି । ଏହାରି ମଧ୍ୟରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଦଳର ନିବେଦନ କ୍ରମେ ସେ ନିଜ ଇସ୍ତଫା ସମ୍ପର୍କରେ ଆଉ ଥରେ ଚିନ୍ତା କରିବେ । 2 ରୁ 3ଦିନ ସମୟ ନେଇ ଶରଦ ପାଓ୍ବର ନିଜ ଇସ୍ତଫା ସମ୍ପର୍କରେ ପୁନଃସମୀକ୍ଷା କରିବାକୁ ସହମତି ପ୍ରକାଶ କରିଥିବା ପୁତୁରା ଅଜିତ ପାଓ୍ବାର ସୂଚନା ଦେଇଛନ୍ତି ।

ଆଜି ପୂର୍ବାହ୍ନରେ ଶରଦଙ୍କ ଅପ୍ରାତ୍ୟାଶିତ ଇସ୍ତଫା ପରେ ଦଳର ଅନେକ ବିଧାୟକ ଓ କାର୍ଯ୍ୟକର୍ତ୍ତା ଏହାକୁ ଗ୍ରହଣ କରିନଥିଲେ । ଏପରିକି କିଛି କାର୍ଯ୍ୟକର୍ତ୍ତା ରାସ୍ତା ଉପରେ ଧାରଣା ଦେବା ସହ ଶରଦଙ୍କୁ ନିଜ ଇସ୍ତଫା ଫେରସ୍ତ ନେବାକୁ ନିବେଦନ କରିଥିଲେ । ଦଳର ଅନ୍ୟ ବର୍ଷିଷ୍ଠ କାର୍ଯ୍ୟକର୍ତ୍ତା ମଧ୍ୟ ଶରଦ ପାଓ୍ବରଙ୍କ ସହ ଆଲୋଚନା କରି ତାଙ୍କୁ ମନେଇବା ପ୍ରୟାସ ମଧ୍ୟ ଆରମ୍ଭ କରିଥିଲେ । ହେଲେ ପ୍ରଥମେ ଏହାକୁ ଗ୍ରହଣ କରୁନଥିବା ଶରଦ ପରେ ଏନେଇ ପୁଣି ଥରେ 2 ରୁ 3 ଦିନ ମଧ୍ୟରେ ସମୀକ୍ଷା କରିବେ ବୋଲି ସହମତି ପ୍ରକାଶ କରିଥିବା ଦଳ ସୂତ୍ରରୁ ସୂଚନା ମିଳିବା ପରେ ଭିନ୍ନ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସ୍ଥିତିରେ ପୂର୍ବରୁ ଦଳରୁ ବିଦ୍ରୋହ କରିସାରିଥିବା ଅଜିତ ପାଓ୍ବାର ନିଜ ଅନୁଗତ ବିଧାୟକ ଗୋଷ୍ଠୀ ସହ ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ଏହା ପାଓ୍ବରଙ୍କ ପାଓ୍ବାର ସୋ’ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଅଜିତ ପାଓ୍ବରଙ୍କ ସୂଚନା ଅନୁସାରେ, ଦଳ ଶରଦଙ୍କୁ ସଭାପତି ଭାବେ ଦେଖିବାକୁ ଚାହୁଁଛି । ଏନେଇ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ତାଙ୍କ ନିଷ୍ପତ୍ତି ପ୍ରସଙ୍ଗରେ ଆଉ ଥରେ ବିଚାର କରିବାକୁ ଅନୁରୋଧ କରିଛନ୍ତି । 2ରୁ 3 ଦିନ ସମୟ ନେଇ ସେ ତାଙ୍କ ଇସ୍ତଫା ନିଷ୍ପତ୍ତିର ପୁନଃସମୀକ୍ଷା କରିବେ ବୋଲି ଶରଦ ନିଜେ ସହମତି ପ୍ରକାଶ କରିଛନ୍ତି । ଅଜିତଙ୍କ ନିକଟରୁ ଏପରି ସୂଚନା ମିଳିବା ପରେ ଏହି ଅଚାନକ ଇସ୍ତଫା ଏବେ ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି ।

ଗତ କିଛି ଦିନ ହେବ ଅଜିତଙ୍କୁ ନେଇ ଦଳ ଭିତରେ କନ୍ଦଳ ଲାଗିରହିଛି । ଅଜିତ ଓ ନିଜ ସମର୍ଥିତ ବିଧାୟକଙ୍କ ବିଜେପିରେ ସମ୍ଭାବ୍ୟ ମିଶ୍ରଣ କେବଳ ଏନସିପି ନୁହେଁ ବରଂ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ଧାରା ଜାରି ରଖିଛି । ଅଜିତ ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଗ୍ରହୀ ଓ ଏଥିପାଇଁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି କହି ସାରିଛନ୍ତି । ଯାହାକୁ ନେଇ ତାଙ୍କ ଦଳବଦଳ ଚର୍ଚ୍ଚା ଆହୁରି ବଳ ପାଇଥିଲା ।

ଏହାରି ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କୁ କଟାକ୍ଷ କରି, ସମସ୍ତେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ନାହିଁ ବୋଲି କହିଥିଲେ । ଅନ୍ୟପଟେ ଅଜିତ ଯଦି ବିଜେପି ସହ ମେଣ୍ଟ କରନ୍ତି, ତେବେ ଏକନାଥ ସିନ୍ଦେ ଗୋଷ୍ଠୀ ସରକାର ଭାଙ୍ଗି ଦେବ ବୋଲି ମଧ୍ୟ ଚେତାବନୀ ଦେଇଥଲା । ଏହାରି ମଧ୍ୟରେ ଅଜିତଙ୍କ ରାଜନୈତିକ ଗତି ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ଥିବା ବେଳେ ହଠାତ ଶରଦ ପାଓ୍ବର ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିଲେ । ଏବେ ପୁନଃସମୀକ୍ଷା ପରେ ତାଙ୍କ ନିଷ୍ପତ୍ତି କଣ ହେବ, ସେ ନେଇ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details