ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ(NDA Presidential election candidate Droupadi Murmu) ଆଜି ନାମାଙ୍କନ ଦାଖଲ କରିବା ପୂର୍ବରୁ ବିରୋଧୀ ନେତା ମାନଙ୍କୁ ଫୋନ କରି ସମର୍ଥନ ଲୋଡିଥିଲେ । ଦ୍ରୌପଦୀ ପ୍ରଥମେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi), ଏନସିପି ମୁଖ୍ୟ ଶରଦ ପାୱର (Sharad Pawar) ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖଙ୍କୁ ଫୋନ କରି ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ।
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ଗୁଡିକ ଟିଏମସି ନେତା ତଥା ବରିଷ୍ଠ ରାଜନେତା ଯଶୱନ୍ତ ସିହ୍ନା(Yashwant Sinha)ଙ୍କୁ ମିଳିତ ପ୍ରାର୍ଥୀ କରିଛନ୍ତି । ବିରୋଧୀ ପ୍ରାର୍ଥୀ ଯଶୱନ୍ତ ଆସନ୍ତା 27 ତାରିଖରେ ନିଜର ନାମାଙ୍କନ ଦାଖଲ କରିବେ । ଆଜି ଏନଡିଏ ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନିଜ ନାମାଙ୍କନ ଦାଖଲ କରିଛନ୍ତି । ଦ୍ରୌପଦୀଙ୍କ ପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ପ୍ରଥମ ପ୍ରସ୍ତାବକ ଥିବା ବେଳେ, ପ୍ରଥମ ଅନୁମୋଦକ ରହିଛନ୍ତି ରାଜନାଥ ସିଂ ।
ଏନଡିଏ ପ୍ରାର୍ଥୀନି ନାମାଙ୍କନ ଦାଖଲ ପୂର୍ବରୁ ଏନଡିଏ ନିଜ ଶକ୍ତି ପ୍ରଦର୍ଶନ କରିଥିଲା । ଦ୍ରୌପଦୀଙ୍କ ସହ ପୁରା ଏନଡିଏ ନେତା ମାନେ ଏକାଠି ହୋଇଥିଲେ । ଏନଡିଏ ପ୍ରାର୍ଥୀନୀଙ୍କ ବିଜୟ ସୁନିଶ୍ଚିତ ଥିବା ସତ୍ବେ, ଗଣତନ୍ତ୍ରର ମର୍ଯ୍ୟଦା, ସମସ୍ତଙ୍କୁ ଏକାଠି କରିବା ସମସ୍ତଙ୍କ ବିଶ୍ବାସକୁ ଆଗକୁ ବଢାଇବା ଉଦ୍ଦେଶ୍ୟରେ ଦ୍ରୌପଦୀ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଫୋନ କରି ସମର୍ଥନ ଲୋଡିଛନ୍ତି । ଏହାଦ୍ବାରା ଏକ ସୁସ୍ଥ ଗଣତନ୍ତ୍ରର ସନ୍ଦେଶ ମଧ୍ୟ ଦେଇଛନ୍ତି ।
ଏନଡିଏ ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ, ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସୱରାଜ ବୋମ୍ମାଇ, ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମା ଉପସ୍ଥିତ ଥିଲେ ।
ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଟୁକୁନି ସାହୁ, ଜଗନ୍ନାଥ ସାରକା, ସାଂସଦ ସସ୍ମିତ ପାତ୍ର, ବିଜେପିର 12 ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଏହାବାଦ ଆନ୍ଧ୍ର ସରକାରଙ୍କ ପ୍ରତିନିଧୀ, ବିହାର ସରକାରଙ୍କ ପ୍ରତିନିଧି, ଏଆଇଏଡିଏମକେ ପ୍ରତିନିଧି ପଣ୍ଡିଚେରୀ ସରକାରଙ୍କ ପ୍ରତିନିଧୀ, ଅପନାଦଳ ମୁଖ୍ୟଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ ।