ନୂଆଦିଲ୍ଲୀ: ଆଜି ଜାତୀୟ ରାଜନୀତିରେ ଗୋଟିଏ ଦିନରେ ଦୁଇଟି ବୈଠକ କରିଛନ୍ତି ଶାସକ ଓ ବିରୋଧୀ ଦଳ । ଦକ୍ଷିଣରେ ବେଙ୍ଗାଲୁରୁରେ 26ଟି ବିରୋଧୀ ଦଳ ଏକାଠି ହେବା ସହ 2024 ସାଧାରଣ ନିର୍ବାଚନ ପାଇଁ ମେଣ୍ଟ ଗଠନ କରି ବିଜେପି ବିରୋଧରେ ରଣହୁଙ୍କାର ଦେଇଛନ୍ତି । ସେହିପରି ଦିଲ୍ଲୀରେ ଗ୍ରାଣ୍ଡ ଅଶୋକା ହୋଟେଲରେ ଅନୁଷ୍ଠିତ ହୋଇଛି ଶାସକ ବିଜେପି ନେତୃତ୍ବାଧୀନ ଏନଡିଏ ବୈଠକ । ଏଥିରେ ଏକାଧିକ ନୂଆ ଦଳ ସହ 38 ଦଳ ଏନଡିଏ ବୈଠକରେ ସାମିଲ ହୋଇଛନ୍ତି । ଏନଡିଏ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଏନଡିଏ ଏକ ସମୟ ପରିକ୍ଷିତ ମେଣ୍ଟ । 2024ରେ କ୍ଷମତା ବଜାୟ ରଖିବାକୁ ଯାଉଛି । ତେବେ ବିରୋଧୀ ମହାମେଣ୍ଟ ଏକ ଦୁର୍ନୀତିଗ୍ରସ୍ତ ଏବଂ ପରିବାରବାଦୀ ଦଳ ।
ପ୍ରଧାନମନ୍ତ୍ରୀ ଟ୍ବିଟ କରି କହଛନ୍ତି, ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏନଡିଏ ମେଣ୍ଟ ନିଜର ଆଞ୍ଚଳିକ ବା କ୍ଷେତ୍ରୀୟ ସହଯୋଗୀ ଦଳଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ ପ୍ରାଧାନ୍ୟ ଦେଇଆସିଛି । ଜାତୀୟ ପ୍ରଗତି ସହ କ୍ଷେତ୍ରୀୟ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ମେଣ୍ଟ ପ୍ରତିଶୃତିବଦ୍ଧ ମଧ୍ୟ । ତେଣୁ ସେମାନଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ ।
ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ, ଭାରତୀୟ ଜନତା ପାର୍ଟି କେବଳ ଏକ ରାଜନୈତିକ ଦଳ ନୁହେଁ ବରଂ ଏକ ଆଦର୍ଶ । ଦଳ ଅସ୍ଥିତ୍ବକୁ ଆସିବା ଦିନରୁ ଆଦର୍ଶଗତ ଭାବେ ଦେଶକୁ ଯୋଡିଆସିଛି । ସେ ରାମ ମନ୍ଦିର ପ୍ରସଙ୍ଗ ହେଉ କିମ୍ବା ଧାରା-370 ପ୍ରସଙ୍ଗରେ ସବୁବେଳେ ଦେଶକୁ ସୁଦୃଢ କରିବାର କାର୍ଯ୍ୟ କରିଛି ଭାରତୀୟ ଜନତା ପାର୍ଟି ।