ବିହାରରେ NDA କୁ ସ୍ପଷ୍ଟ ବହୁମତ; RJD ସର୍ବବୃହତ ଦଳ - bihar assembly result
ଭୁଲ ହେଲା ଏକଜିଟ ପୋଲ । ଏନଡିଏକୁ ବିହାରବାସୀଙ୍କ ସ୍ପଷ୍ଟ ଜନାଦେଶ । 243 ବିଶିଷ୍ଟ ଆସନରୁ 125 ଆସନ ସହ ପୁଣି ଥରେ ସରକାର ଗଠନ କରିବେ ଜେଡିୟୁ ମୁଖ୍ୟ ନୀତିଶ କୁମାର । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ଏକଜାକ୍ଟ ହେଲାନି ଏକଜିଟ ପୋଲ । ବଦଳିଲା ସବୁ ଆକଳନ । ପୁଣି ଥରେ ବିହାରରେ ବାଜି ମାରିଲେ ନୀତିଶ । ନୀତିଶ କୁମାର ଓ ତେଜସ୍ବୀଙ୍କ କଡା ଟକ୍କର ସତ୍ତ୍ବେ ସରକାର ଗଢିବ ଏନଡିଏ । ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ କମିଶନ ଆୟୋଗଙ୍କ ଅନୁସାରେ ଏନଡିଏକୁ ମିଳିଛି ଜନାଦେଶ ।
243 ବିଶିଷ୍ଟ ଆସନରୁ ଏନଡିଏକୁ 125 ଟି ଆସନ, ମହାମେଣ୍ଟକୁ 110ଟି ଆସନ ଏବଂ ଏଆଇଏମଆଇଏମ, ବିଏସପି ଏବଂ ଅନ୍ୟ ଦଳଗୁଡିକ 8ଟି ଆସନ ପାଇଛନ୍ତି । ଏଲଜେପି ମାତ୍ର 1 ଟି ଆସନ ଅକ୍ତିଆର କରିପାରିଛି । ଏନେଇ ଡେପୁଟି ଇଲେକ୍ସନ କମିଶନର ଆଶିଷ କୁନ୍ଦ୍ରା ସୂଚନା ଦେଇଛନ୍ତି । ଏନଡିଏରେ ସବୁଠାରୁ ବଡ ଦଳ ଭାବେ ପ୍ରଥମଥର ବିହାରରେ ବିଜେପିକୁ 74 ଆସନ ମିଳିଥିବା ବେଳେ ଜେଡିୟୁକୁ 43, ହାମ ଆଦମି ପାର୍ଟିକୁ 4ଟି ଆସନ ମିଳିଛି । ମହାମେଣ୍ଟର ଆରଜେଡିକୁ 75, କଂଗ୍ରେସକୁ 19 ଓ ବାମଦଳ 16ଟି ଆସନ ମିଳିଛି । ତେବେ ଆରଜେଡି ରାଜ୍ୟରେ ସର୍ବାଧିକ ଭୋଟ ପାଇଥିବା ଦଳ ଭାବେ ପୁଣି ଥରେ ଉଭା ହୋଇଛି । ତେବେ ସରକାର ଗଠନର ସ୍ବପ୍ନ ଦେଖୁଥିବା ତେଜସ୍ବୀ ପୁଣିଥରେ ନିରାଶ ହୋଇଛନ୍ତି ।
243 ବିଶିଷ୍ଟ ଆସନରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ 122 ଟି ଆସନର ଦରକାର । ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ କରି ନୀତିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିହାର ଜନତା ଓ ନିର୍ବାଚନ ସହ ଜଡିତ କର୍ମଚାରୀ ସ୍ବାସ୍ଥ୍ୟକର୍ମୀ ସୁରକ୍ଷାବଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ତଥା ସୁଶୀଲ ମୋଦି, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ବିହାର ନିର୍ବାଚନ ଦାୟିତ୍ବରେ ଥିବା ରାଜ୍ୟସଭା ସାଂସଦ ଭୂପେନ୍ଦ୍ର ଯାଦବ ନୀତିଶଙ୍କ ବାସଭବନ ଯାଇ ସାକ୍ଷତ ଆଲୋଚନା କରିବା ସହ ଆଗମୀ ରଣନୀତି ଉପରେ ଆଲୋଚନା କରିଛନ୍ତି ।
ସେପଟେ, ବିହାର ଜନାଦେଶକକୁ ଜେଡିୟୁ ବିଜେପି ଏବଂ ଏଲପିଜି ସ୍ବାଗତ କରିଛନ୍ତି । ଆରଜେଡି ଓ କଂଗ୍ରେସ ଇଭିଏମ ତ୍ରୁଟି ଓ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । 38 ଜିଲ୍ଲାର 55 ଟି କାଉଣ୍ଟିଂ ସେଣ୍ଟେର କରାଯାଇଥିଲା । ଆଜି(ବୁଧବାର) ଭୋର 04.05 ସମୟରେ ଭୋଟ ଗଣତି ଶେଷ ହୋଇଛି । 2015 ରେ 72 ହଜାର 723ଟି ବୁଥ କରାଯାଇଥିଲା ବେଳେ ଚଳିତ ନିର୍ବାଚନରେ କୋରୋନା ଗାଇଡଲାଇନ ଅନୁସାରେ 1,06,515 ଟି କରାଯାଇଥିଲା । ଫଳରେ ଭୋଟ ଗଣତିରେ ବିଳମ୍ବ ହୋଇଥିଲା ।