ମୁମ୍ବାଇ:ହିଂସ୍ର ହେବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଆଜି (ସୋମବାର) ବିଡ ଜିଲ୍ଲାରେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବାସଭବନକୁ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି । ବିଧାୟକ ନିଜେ ବାସଭବନରେ ଉପସ୍ଥିତ ଥିବା ବେଳେ ତାଙ୍କ ଘରକୁ ଟେକା ପଥର ମାଡ କରିବା ସହ ଘର ଓ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଏଥିରେ କେହି ମୃତାହତ ହୋଇନଥିବା ବେଳେ କାର ଓ ଘର ଜଳି ଯାଇଛି ।
ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ 11ଟା ବେଳେ ବହୁ ଉତ୍ୟକ୍ତ ଆନ୍ଦୋଳନକାରୀ ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବିଡ ଜିଲ୍ଲା ସ୍ଥିତ ବାସଭବନ ନିକଟରେ ପହଞ୍ଚିଥିଲେ । ସେମାନେ ସେଠାରେ ନାରାବାଜୀ କରିବା ସହ ବିଧାୟକଙ୍କ ଘରକୁ ଟେକା ପଥର ମାଡ କରିଥିଲେ । ପରେ ପାର୍କିଂ ହୋଇଥିବା ବିଧାୟକଙ୍କ କାର ଓ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । ଏହି ପ୍ରସଙ୍ଗରେ ବିଧାୟକ ପ୍ରକାଶଙ୍କର ଏକ ତଥାକଥିତ କଲ ରେକର୍ଡିଂ ଭାଇରାଲ ହେବା ପରେ ଏହି ହିଂସାକାଣ୍ଡ ଘଟିଛି । ଏହାକୁ ବିରୋଧ କରି ମରାଠା ସଂରକ୍ଷଣ ଦାବି କରୁଥିବା ଏକ ଗୋଷ୍ଠୀ ବିଧାୟକଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ । ତେବେ ଏହି ସମୟରେ ବିଧାୟକ ପ୍ରକାଶ ନିଜେ ବାସଭବନରେ ଥିବା ମଧ୍ୟ ଦାବି କରିଛନ୍ତି । ହେଲେ ଏ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି ।