ମୁମ୍ବାଇ: ଶାହାରୁଖ ଖାନ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ ନୁହେଁ ଅପହରଣ କରିଥିଲେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ । ଆଉ ଏଥିରେ ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କମ୍ବୋଜ । ଏପରି ଅଭିଯୋଗ କରିଛନ୍ତି ଏନସିପି ନେତା ନୱାବ ମଲିକ । ଗତକାଲି(ଶନିବାର) ମୋହିତ ଡ୍ରଗ୍ସ ପାର୍ଟି ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଏଥିରେ ସମୀର ପଟେଲଙ୍କ ଲିଙ୍କ ଥିବା ଅଭିଯୋଗ କରିବା ପରେ ଆଜି ଏପରି ଜବାବ ରଖିଛନ୍ତି ନୱାବ । ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, କ୍ରୁଜ୍ ପାର୍ଟି ପାଇଁ ଆର୍ଯ୍ୟନ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ ।
ଏହା ଏକ ଅପହରଣ ଓ ବଟି ଆଦାୟ କରିବା ମାମଲା । ମୋହିତ କମ୍ବୋଜ ଏହି ଅପହରଣ ମାମଲାର ମାଷ୍ଟର ମାଇଣ୍ଡ । ବଟି ଆଦାୟ କରିବାରେ ସେ ସମୀର ୱାଙ୍ଖଡେଙ୍କ ପାର୍ଟନର ବୋଲି ନୱାବ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ମୋହିତ ଓ ସମୀର ଖୁବ୍ ଘନିଷ୍ଠ । ଅକ୍ଟୋବର ୭ ତାରିଖ ରାତିରେ ଏକ ଶ୍ମଶାନ ନିକଟରେ ସେମାନଙ୍କ ମଧ୍ୟରେ ଭେଟ ହୋଇଥିଲା । ଏକଥା ଜଣାପଡ଼ିବା ପରେ ସମୀର ଭୟଭୀତ ହୋଇଯାଇଥିଲେ ଓ ପୋଲିସ୍ ତାଙ୍କ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ କରିଥିଲେ । ସେମାନଙ୍କ ଭାଗ୍ୟ ଭଲ ଯେ, ପାଖରେ ଥିବା ଏକ ସିସିଟିଭି ଖରାପ ହୋଇଯାଇଥିଲା । ନହେଲେ ଆହୁରି ତଥ୍ୟ ସାମ୍ନାକୁ ଆସିଥାନ୍ତା ।
ଏହା ମଧ୍ୟ ପଢନ୍ତୁ:-ଡ୍ରଗ ପାର୍ଟିର ନୂଆ ଟ୍ବିଷ୍ଟ: ବିଜେପିର ଆକ୍ଷେପ ପରେ ଆଜି ନୱାବଙ୍କ ପ୍ରେସମିଟ୍