ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରୁ ହଟିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ଆର୍ଯ୍ୟନ ଖାନ ମାମଲା ସମେତ ଅନ୍ୟ 5 ଟି ମାମଲାରୁ ସମୀର ୱାଙ୍ଖଡେଙ୍କୁ ହଟାଯାଇଛି । ଏହି ସମସ୍ତ ମାମଲାର ତଦନ୍ତ ଏନସିବିର ଦିଲ୍ଲୀ ଟିମ କରିବ । ଏନେଇ ଏନସିବିର ଦକ୍ଷିଣ-ପଶ୍ଚିମାଞ୍ଚଳର ଉପମହାନିର୍ଦ୍ଦେଶକ ମୁଥା ଅଶୋକ ଜୈନ ସୂଚନା ଦେଇଛନ୍ତି ।
ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୃଜ ପାର୍ଟିରେ ଚଢାଉ କରି ଡ୍ରଗ୍ସ ମାମଲାରେ ବଲିଉଡ ସେଲିବ୍ରେଟିଙ୍କ ପୁଅ ଓ ଝିଅଙ୍କୁ ଗିରଫ କରିଥିଲେ ଏନସିବି ଅଫିସର ସମୀର ୱାଙ୍ଖଡେ । ରାତାରାତି ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସମୀର ୱାଙ୍ଖଡେ । ତେବେ ବଲିଉଡ ଷ୍ଟାରଙ୍କ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫ ହେବା ପରେ ଏନସିବି ଅଫିସରକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଓ ଏନସିବି ଅଫିସର ସମୀର ୱାଙ୍ଖାଡେ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ନବାବ ମଲ୍ଲିକ ଓ ସମୀର ୱାଙ୍ଖଡେଙ୍କ ବିବାଦ ଶେଷରେ ଚରମ ସୀମାରେ ପହଞ୍ଚିଥିଲା । ନବାବ ମଲ୍ଲିକ ବ୍ୟକ୍ତିଗତସ୍ତରକୁ ଖସିଆସିଥିଲେ ଏବଂ ସମୀର ୱାଙ୍ଖାଡେଙ୍କ ବିବାହ, ଜନ୍ମପ୍ରମାଣ ପତ୍ର ନେଇ ବେଶ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।