ରାୟପୁର:ଛତିଶଗଡ କାଙ୍କେର ଜିଲ୍ଲାରେ ନକ୍ସଲମାନେ ନିଜର ଜଣେ ସାଥିକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି । କୋୟଲିବେଡା ଜଙ୍ଗଲରୁ ଉକ୍ତ ନକ୍ସଲର ମୃତଦେହ ଉଦ୍ଧାର ହୋଇଛି । ମୃତକ ନାମ ମନୁ ଦୁଗା । ସେ କେସୋକୋଡି ଏରିଆ କମିଟିର ସଦସ୍ୟ ଥିଲା । ୨୦୦୬ ମସିହାରୁ ନକ୍ସଲ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା । ତା'ର ମୃତଦେହ ନିକଟରୁ ଏକ ଚିଠି ମିଳିଛି । ଯେଉଁଥିରେ, ସେ ସଂଗଠନର ମହିଳାଙ୍କ ସହ ଦୁର୍ବ୍ୟବହାର ତଥା ଅସଦାଚରଣ କରୁଥିବା ଲେଖାଯାଇଛି । ତେବେ ନିକଟରେ ସେ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା । ଏହି ଅପରାଧ ପାଇଁ ନକ୍ସଲମାନେ ନିଜର ସାଥି ମନୁ ଦୁଗାକୁ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି ।
ମୃତଦେହ ପାଖରୁ ମିଳିଥିବା ଚିଠି ବସ୍ତର ଡିଭିଜନ କମିଟି ପକ୍ଷରୁ ଜାରି କରାଯାଇଛି । ଏଥିରେ ଲେଖାଯାଇଛି, ନାରାୟଣପୁରର ଭରଣ୍ଡା ଗ୍ରାମ ନିବାସୀ ମନୁ ଦୁଗା ୨୦୦୬ରୁ ଆମ ପିଏଲଜିଏରେ କାମ କରୁଥିଲା । ହେଲେ ପ୍ରଥମରୁ ହିଁ ତା'ର ଆଚରଣ ଖରାପ ଥିଲା । ଏହାସହିତ ସେ ସଂଗଠନର ମହିଳାଙ୍କ ସହ ଅଶାଳୀନ ବ୍ୟବହାର ଏବଂ ଅତ୍ୟାଚାର କରିବାକୁ ଚେଷ୍ଟା କରୁଥିଲା । ଯେଉଁ କାରଣରୁ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଥିଲେ । ଏନେଇ ପାର୍ଟି ପକ୍ଷରୁ ଅନେକ ଥର ତାକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ବୁଝାସୁଝା କରାଯାଇଥିଲା । ତା' ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ଏସବୁ ସତ୍ତ୍ବେ ତା' ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା । ଏମିତିକି କିଛି ଦିନ ତଳେ ସେ ଗାଁର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା । ଏ କଥା ଜଣାପଡିବା ପରେ ଫେରାର୍ ହୋଇଯିବାକୁ ଚେଷ୍ଟା କରୁଥିଲା । ହେଲେ ତାକୁ କାବୁ କରି ଜନ ଅଦାଲତରେ ଜନତାଙ୍କ ରାୟ ଅନୁସାରେ ମୃତ୍ୟୁଦଣ୍ଡ ଦିଆଯାଇଛି ।